ଓଡିଶା

odisha

ETV Bharat / entertainment

ନିର୍ମାତା କି ନିର୍ଦ୍ଦେଶକ ନୁହେଁ, ବୈଜ୍ଞାନିକ ହେବାକୁ ଚାହୁଁଥିଲେ ଅନୁରାଗ କଶ୍ୟପ - ଅନୁରାଗ କଶ୍ୟପ ଫିଲ୍ମ

ହିନ୍ଦୀ ସିନେମାର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଆଜି ଜନ୍ମଦିନ । ଏହି ଅବସରରେ ଆସନ୍ତୁ ଜାଣିବା ଅନୁରାଗଙ୍କ ସହ ଜଡିତ କିଛି ଖାସ୍‌ କଥା । ଅଧିକ ପଢନ୍ତୁ

ନିର୍ମାତା କି ନିର୍ଦ୍ଦେଶକ ନୁହେଁ, ବୈଜ୍ଞାନିକ ହେବାକୁ ଚାହୁଁଥିଲେ ଅନୁରାଗ କଶ୍ୟପ
ନିର୍ମାତା କି ନିର୍ଦ୍ଦେଶକ ନୁହେଁ, ବୈଜ୍ଞାନିକ ହେବାକୁ ଚାହୁଁଥିଲେ ଅନୁରାଗ କଶ୍ୟପ

By

Published : Sep 10, 2022, 10:55 AM IST

ହାଇଦ୍ରାବାଦ: ହିନ୍ଦୀ ସିନେମାର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପ୍ରତିବର୍ଷ 10 ସେପ୍ଟେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରନ୍ତି । ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମଗ୍ରହଣ କରିଥିବା ଅନୁରାଗ କଶ୍ୟପ ତାଙ୍କର ଦୀର୍ଘ ଚଳଚ୍ଚିତ୍ର କ୍ୟାରିଅରରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ, ଅନୁରାଗ କେବେ ବି ମାୟାନଗରୀର ଏହି ରଙ୍ଗିନ୍‌ ଦୁନିଆକୁ ଆସିବାକୁ ହିଁ ଚାହୁଁନଥିଲେ । ବାସ୍ତବରେ ସେ ଦୁନିଆ ଏବଂ ବ୍ରହ୍ମାଣ୍ଡରେ ଲୁଚି ରହିଥିବା ରହସ୍ୟ ଖୋଜିବାକୁ ଚାହୁଁଥିଲେ । ଅନୁରାଗ ଜଣେ ବୈଜ୍ଞାନିକ ହେବାକୁ ଚାହୁଁଥିଲେ ଏବଂ ଏହି ସ୍ୱପ୍ନ ସହିତ ସେ ଅଧିକ ଅଧ୍ୟୟନ ପାଇଁ ଦିଲ୍ଲୀ ଆସି ହାନସରାଜ କଲେଜରେ ନାମ ଲେଖାଇଥିଲେ । କିନ୍ତୁ ବୋଧହୁଏ ତାଙ୍କ ଭାଗ୍ୟରେ ଆଉ କିଛି ଲେଖାଥିଲା । ଏଠାରେ ତାଙ୍କର ଆଗ୍ରହ ଥିଏଟର ପ୍ରତି ବଢିଲା ଏବଂ ଶେଷରେ ସେ ନିଷ୍ପତ୍ତି ନେଇଥିଲେ ଯେ, ଚଳଚ୍ଚିତ୍ର ଜଗତରେ ନିଜର ପରିଚୟ ସୃଷ୍ଟି କରିବେ ।

ଫଟୋ: ସୋସିଆଲ ମିଡିଆ

ଜନ ନାଟ୍ୟ ମଞ୍ଚରେ ଯୋଗ ଦେଇଥିଲେ ଅନୁରାଗ

1993 ମସିହାରେ ସ୍ନାତକୋତ୍ତର ପୂରା କରିବା ପରେ ଅନୁରାଗ ଏକ ଷ୍ଟ୍ରିଟ୍ ଥିଏଟର ଗ୍ରୁପ୍ "ଜନ ନାଟ୍ୟ ମଞ୍ଚ"ରେ ଯୋଗ ଦେଇଥିଲେ । କ୍ୟାରିୟରର ପ୍ରାରମ୍ଭରେ ଅନୁରାଗ ଅନେକ ଉତ୍‌ଥାନ-ପତନ ଦେଖିଲେ । ତାଙ୍କୁ ଅନେକ ଦିନ ରାସ୍ତା କଡରେ ଦିନ କାଟିବାକୁ ପଡିଲା । ବହୁ ସଂଘର୍ଷ ପରେ ସେ ପୃଥ୍ବୀ ଥିଏଟରରେ କାମ ପାଇଲେ, ଯାହା ତାଙ୍କର ପ୍ରଥମ ଚାକିରି ଥିଲା, କିନ୍ତୁ ନିର୍ଦ୍ଦେଶକଙ୍କ ମୃତ୍ୟୁ ହେତୁ ତାଙ୍କର ପ୍ରଥମ ନାଟକ ଅଧୂରା ରହିଗଲା । 1997 ମସିହାରେ, ଅନୁରାଗ ଧାରାବାହିକ କଭି କଭି ପାଇଁ ସ୍କ୍ରିପ୍ଟ ଲେଖିବାର ସୁଯୋଗ ପାଇଲେ । ଅନୁରାଗ କଶ୍ୟପଙ୍କ ଜୀବନରେ ପରିବର୍ତ୍ତନ ସେତେବେଳେ ଆସିଲା, ​​ଯେତେବେଳେ ମନୋଜ ବାଜପେୟୀ ତାଙ୍କୁ ରାମ ଗୋପାଳ ବର୍ମାଙ୍କ ପାଇଁ ସତ୍ୟ ନାମକ ଏକ ଚଳଚ୍ଚିତ୍ର ଲେଖିବାକୁ ପ୍ରସ୍ତାବ ଦେଇଥିଲେ । 1998 ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା ।

2003ରେ ନିର୍ଦ୍ଦେଶନାରେ ରଖିଥିଲେ ପାଦ

ଏହା ପରେ ଅନୁରାଗ କଶ୍ୟପ ଶୋଲ, ଜଙ୍ଗ, ନାୟକ ଇତ୍ୟାଦି ଅନେକ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଲେଖିଥିଲେ । 2003 ମସିହାରେ ଅନୁରାଗ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଲେ ଏବଂ ଚଳଚ୍ଚିତ୍ର 'ପାଞ୍ଚ' ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଫିଲ୍ମ ବିବାଦ ଭିତର ପଶିବାରୁ ରିଲିଜ ହୋଇପାରିଲା ନାହିଁ । ଏହା ପରେ ଅନୁରାଗ 2007 ମସିହାରେ ବ୍ଲାକ୍ ଫ୍ରାଇଡେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଅନୁରାଗଙ୍କ ଏହି ଫିଲ୍ମ ମଧ୍ୟ ବିବାଦରେ ଥିଲା । ଏହି ଚଳଚ୍ଚିତ୍ର ପରେ ମଧ୍ୟ ଅନୁରାଗଙ୍କ ଅଧିକାଂଶ ଚଳଚ୍ଚିତ୍ର ବିବାଦୀୟ ହୋଇରହିଥିଲା ।

ଜଣେ ନିର୍ଦ୍ଦେଶକ ଭାବରେ ଅନୁରାଗ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯେଉଁଥିରେ ନୋ ସ୍ମୋକିଙ୍ଗ୍‌, ଦେବଡି, ଗୁଲାଲ, ମୁମ୍ବାଇ କଟିଙ୍ଗ, ଗ୍ୟାଙ୍ଗ ଅଫ୍ ୱାସିପୁର, ବମ୍ବେ ଟକିଜ୍‌ ଇତ୍ୟାଦି ଅନ୍ତର୍ଭୁକ୍ତ । ଚଳଚ୍ଚିତ୍ର ନିର୍ଦ୍ଦେଶନା ବ୍ୟତୀତ ଅନୁରାଗ ଅନେକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି। 2009 ମସିହାରେ, ସେ ନିଜର ଏକ ଫିଲ୍ମ ପ୍ରଡକ୍ସନ କମ୍ପାନୀ “ଅନୁରାଗ କାଶ୍ୟପ ଫିଲ୍ମସ୍ ପ୍ରାଇଭେଟ ଲିମିଟେଡ୍ (AKFPL)” ପ୍ରତିଷ୍ଠା କରିଥିଲେ । ତାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ଗୁଡ଼ିକ ହେଉଛି ଉଡାନ୍, ତୃଷ୍ଣା, ଶୈତାନ, ଗ୍ୟାଙ୍ଗସ୍ ଅଫ୍ ୱାସିପୁର, ସହିଦ, ଲୁଟେରା,କୁଇନ୍‌, ମସାନ୍, ସାଣ୍ଡ କି ଆଖ୍‌ ଇତ୍ୟାଦି । ଏହା ବ୍ୟତୀତ ଅନୁରାଗ ବ୍ଲାକ୍ ଫ୍ରାଇଡେ, ନୋ ସ୍ମୋକିଙ୍ଗ୍‌, ଲକ୍‌ ବାଇ ଚାନ୍ସ ଇତ୍ୟାଦି ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ। ଅନୁରାଗ କାଶ୍ୟପ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି।

ବ୍ୟକ୍ତିଗତ ଜୀବନ ସମ୍ପର୍କରେ...

ଫଟୋ: ସୋସିଆଲ ମିଡିଆ

ବୃତ୍ତିଗତ ଜୀବନ ବ୍ୟତୀତ ଅନୁରାଗ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ଥିଲେ । ନିଜ କ୍ୟାରିୟରରେ ସଫଳତା ହାସଲ କରିଥିବା ଅନୁରାଗ, ସମ୍ପର୍କ ମାମଲାରେ କିଛି ଖାସ୍‌ ସଫଳ ହୋଇପାରିନାହାନ୍ତି । ଅନୁରାଗ କାଶ୍ୟପଙ୍କ 2003 ମସିହାରେ ଚଳଚ୍ଚିତ୍ର ସମ୍ପାଦକ ଆରତୀ ବଜାଜଙ୍କୁ ବିବାହ କରିଥିଲେ। କିନ୍ତୁ ଛଅ ବର୍ଷ ପରେ ଅର୍ଥାତ୍ 2009 ରେ ଦୁହେଁ ଛାଡପତ୍ର ନେଇଥିଲେ। ଏହି ଦମ୍ପତିଙ୍କର ଆଲିଆ କଶ୍ୟପ ନାମକ ଏକ ଝିଅ ମଧ୍ୟ ଅଛି । 2011ରେ ଅନୁରାଗ ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀ କଲ୍କି କୋଚଲିନଙ୍କୁ ବିବାହ କରିଥିଲେ । ଦୁହେଁ ଫିଲ୍ମ ଦେବଦିଙ୍କ ସେଟରେ ଭେଟିଥିଲେ । ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ମାତ୍ର ଏହି ସମ୍ପର୍କ ବି ବେଶୀ ଦିନ ତିଷ୍ଠି ରହିଲା ନାହିଁ ଏବଂ 2015 ରେ ଦୁହେଁ ଛାଡପତ୍ର ନେଇଥିଲେ । ତେବେ ଛାଡପତ୍ର ପରେ ମଧ୍ୟ ଅନୁରାଗ ତାଙ୍କ ପତ୍ନୀ, ଅଭିନେତ୍ରୀ କାଲ୍କି କୋଚଲିନ୍ ଏବଂ ଆରତୀ ବଜାଜଙ୍କ ସହ ଭଲ ବଣ୍ଡିଂ ସେୟାର କରନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅନୁରାଗ ଖୁବ୍ ଶୀଘ୍ର ନିର୍ମାତା-ନିର୍ଦ୍ଦେଶକ ଭାବରେ ପ୍ରଶଂସକଙ୍କ ପାଇଁ ଫିଲ୍ମ 'Two Sisters and a Husband' ନିର୍ମାଣ କରିବାକୁ ଯାଉଛନ୍ତି ।

ABOUT THE AUTHOR

...view details