ଓଡିଶା

odisha

ETV Bharat / entertainment

'ଲଭ ଇନ ଲଣ୍ଡନ' ରିଲିଜ ଡେଟ୍ ଘୁଞ୍ଚାଇବାକୁ ଅନୁଭବଙ୍କ ଅନୁରୋଧ, ଜାଣନ୍ତୁ କାରଣ

ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆଗାମୀ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ' ଶିରୋନାମାରେ ରହିଛନ୍ତି । ଜୁନ 9ରେ ରିଲିଜ ହୋଇଥାନ୍ତା ଫିଲ୍ମ । ହେଲେ ବର୍ତ୍ତମାନ ଫିଲ୍ମ ରିଲିଜର ଡେଟ ଘୁଞ୍ଚାଇ ଜୁନ୍ 13ରେ ରିଲିଜ କରିବାକୁ ଅନୁଭବ ନିର୍ମାତାଙ୍କୁ ଅନୁରୋଧ କରିଛନ୍ତି । ଜାଣନ୍ତୁ କାରଣ,

By

Published : Jun 7, 2023, 12:35 PM IST

ଜୁନ 9 ପରିବର୍ତ୍ତେ 13ରେ ଫିଲ୍ମ ରିଲିଜ କରିବାକୁ ଅନୁରୋଧ କଲେ ଅନୁଭବ
ଜୁନ 9 ପରିବର୍ତ୍ତେ 13ରେ ଫିଲ୍ମ ରିଲିଜ କରିବାକୁ ଅନୁରୋଧ କଲେ ଅନୁଭବ

ଭୁବନେଶ୍ବର:ଆଗାମୀ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ'କୁ ନେଇ ଶିରୋନାମାରେ ରହିଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । 5ବର୍ଷ ପରେ ପୁଣି ଅନୁଭବ ଏହି ଫିଲ୍ମ ସହ କମବ୍ୟାକ କରୁଥିବା ନେଇ ଦର୍ଶକ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ ଫିଲ୍ମର ରିଲିଜ ଡେଟ ଘୁଞ୍ଚାଇବାକୁ ନିର୍ମାତାଙ୍କୁ ଅନୁରୋଧ କରିଛନ୍ତି ଅନୁଭବ । ଏହି ଫିଲ୍ମ ଜୁନ 9ରେ ରିଲିଜ ହେବାର ଥିଲା । କିନ୍ତୁ ଏହାର ତାରିଖ ବଦଲାଇ ଆସନ୍ତା 13ରେ ସିନେମାହଲରେ ରିଲିଜ କରିବାକୁ ନିର୍ମାତାଙ୍କୁ ଅନୁରୋଧ କରିଛନ୍ତି ଅଭିନେତା । ସୋସିଆଲ ମିଡିଆରେ ଚିଠି ମାଧ୍ୟମରେ ନିର୍ମାତାଙ୍କୁ ଅନୁରୋଧ କରିଥିବା ଏକ ପୋଷ୍ଟ କରି ସେୟାର କରିଛନ୍ତି ।

ବାଲେଶ୍ବର ଜିଲ୍ଲା ବାହାନାଗା ଟ୍ରେନ ଦୁର୍ଘଟଣା ନେଇ ଗଭୀର ଶୋକପ୍ରକାଶ କରିଛନ୍ତି ଅନୁଭବ । ଏହି ଘଟଣା ଓଡ଼ିଶାବାସୀଙ୍କ ସମେତ ସମଗ୍ର ବିଶ୍ବବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ସମୟରେ ଉତ୍ସବ ପାଳିବା ଠିକ ନୁହଁ ମନେ କରି ଅଭିନେତା ନିଜ ଆଗାମୀ ଫିଲ୍ମ ରିଲିଜ ଡେଟକୁ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି । ନିଜ ଇନଷ୍ଟାଗ୍ରାମରେ ଅନୁଭବ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ନିର୍ମାତାଙ୍କୁ ଫିଲ୍ମ ରିଲିଜ ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରି ଏକ ଚିଠି ଲେଖିଛନ୍ତି ।

ସେଥିରେ ଲେଖାଅଛି, ଏହି ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହୋଇଛନ୍ତି । ମଜତାହତଙ୍କ ପ୍ରତି ମୋର ସମବାଦନା ଓ ସମ୍ମାନ ରହିଛି । ଏଭଳି ସମୟରେ ଆମେ ମଧ୍ୟ ସମଦୁଃଖୀ । ଏଭଳି ସମୟରେ ଫିଲ୍ମ ରିଲିଜ କରିବାକୁ ଉତ୍ସବ ପାଳିବାକୁ ଉଚିତ୍‌ ମନେ କରୁନି । ମୁଁ 5 ବର୍ଷ ପରେ ମୁଁ ବଡ ପରଦାକୁ ଫେରୁଛି । ଏବଂ ଓଡିଶା ଲୋକଙ୍କର ମୋ ପ୍ରତି ଭଲପାଇବା ରହିଛି । ଜୁନ 9 ପରିବର୍ତ୍ତେ 13ରେ ରିଲିଜ ହେଲେ ମଧ୍ୟ ଲୋକେ ସେତିକି ଭଲପାଇବା ଦେବେ ବୋଲି ମୁଁ ଆଶାବାଦୀ । ଏଥିସହ ଏଭଳି ଦୁଃଖଦ ସ୍ଥିତି କାହା ଜୀବନରେ ନ ଆସୁ ବୋଲି ମଧ୍ୟ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଏହି ଚିଠି ସେୟାର କରିବା ସହ ସେ କ୍ୟାପସନରେ ଲେଖିଛନ୍ତି, ଓଡ଼ିଶା ଏବେ ଏକ ଦୁଃଖଦ ସମୟ ଦେଇ ଗତି କରୁଛି । ଏଭଳି ସମୟରେ ଉତ୍ସବ ମନାଇବାକୁ ମୁଁ ଉଚିତ୍‌ ମନେ କରୁନାହିଁ । ଏଣୁ ମୋର ଆଗାମୀ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ'ର ରିଲିଜ ତାରିଖ ଘୁଞ୍ଚାଇବାକୁ ମୁଁ ଏହି ଚିଠି ମାଧ୍ୟମରେ ନିର୍ମାତାଙ୍କୁ ଅନୁରୋଧ କରୁଛି । ମୁଁ ଓଡ଼ିଶାବାସୀଙ୍କୁ ସମ୍ମାନ ଜଣାଇ ଫିଲ୍ମ ଜୁନ 9 ବଦଳରେ ଜୁନ 13ରେ ସିନେମାହଲରେ ରିଲିଜ କରିବାକୁ ନିବେଦନ କରୁଛି । ମୁଁ ମୋ ଫ୍ୟାନ୍ସ ବା ଓଡ଼ିଶା ଦର୍ଶକଙ୍କ ଆଘାତ ଦେବାକୁ ଚାହୁଁନି । ମୁଁ ଆଶା କରୁଛି, ମୋର ଏହି ନିଷ୍ପତ୍ତିକୁ ଆପଣ ମାନେ ସହଯୋଗ କରିବେ ।

ସୂଚନା ଥାଉ କି, ତାପସ ସରଘରିଆ ନିର୍ଦ୍ଦେଶିତ 'ଲଭ୍ ଇନ୍ ଲଣ୍ଡନ' ଏକ ହାଇ ବଜେଟ ଫିଲ୍ମ ହୋଇଥିବା ବେଳେ ଫିଲ୍ମଟି ଲଭ, ରୋମାନ୍ସ, ସସ୍‌ପେନ୍ସ ଓ ଆକ୍ସନ ଭରପୁର ରହିଛି । ଫିଲ୍ମଟି ଜେ.ବି. ଫିଲ୍ମ୍ସ ଓ ଆମର ମ୍ୟୁଜିକ ବ୍ୟାନର୍‌ରେ, ନବୀନ ଭଣ୍ଡାରି ଓ ଜେ.ବର୍ଖା ପ୍ରଯୋଜିତ ଏକ ଭିନ୍ନ ଧରଣର ରୋମାଣ୍ଟିକ ଫିଲ୍ମ । ଫିଲ୍ମ ସହ ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ ଡେବ୍ୟୁ କରିବାକୁ ଯାଉଛନ୍ତି । ସ୍ବପ୍ନା ଏହି ଫିଲ୍ମରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନଜର ଆସିବେ ।

ଫିଲ୍ମରେ ଅନ୍ୟଜଣେ ନାୟିକା ହେଲେ ସୌମ୍ୟା ସଚ୍ଚଦେବ । ତାପସ ସରଘରିଆ ନିଜେ ଫିଲ୍ମର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ଗୀତର ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ, ଅସଦ ନିଜାମ ଓ ସୋମେଶ ଶତପଥୀ। 2019 ପରେ ଅନୁଭବ କମବ୍ୟାକ କରୁଥିବାରୁ ଏହି ଫିଲ୍ମ ଚଳିତ ରଜରେ ଭଲ ଆୟ ସହ ଧମାକା କରିବ ବୋଲି ଆଶା କରାଯାଉଛି।

ABOUT THE AUTHOR

...view details