ମୁମ୍ବାଇ: ଭେଟେରାନ ସ୍କ୍ରିନ୍ ରାଇଟର ପ୍ରୟାଗ ରାଜଙ୍କ ପରଲୋକ । ‘ଅମର ଆକବର ଆନ୍ଥୋନୀ’ ପରି ବ୍ଲକବଷ୍ଟର ମୁଭିର ସ୍କ୍ରିନ ରାଇଟିଂ କରି ବେଶ ପ୍ରଶଂସା ସାଉଁଟିଥିଲେ । ଏହାସହ ଅମିତାଭ ବଚ୍ଚନଙ୍କ ‘ନସିବ’ ଏବଂ ‘କୁଲି’ ପରି ସାନ୍ଦାର ମୁଭି ପାଇଁ ସ୍କ୍ରିନ୍ ରାଇଟିଂ କରି ସେ 80 ଦଶକରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ 88 ବର୍ଷ ବୟସରେ ବଲିଉଡ ଇଣ୍ତଷ୍ଟ୍ରିରୁ ବିଦାୟ ନେଇଥିଲେ । ପ୍ରୟାଗ ରାଜଙ୍କ ପୁଅ ଆଦିତ୍ୟ କହିଛନ୍ତି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଶନିବାର ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି ।
ଆଦିତ୍ୟ କହିଛନ୍ତି, "ଶନିବାର ଦିନ ଅପରାହ୍ନ 4ଟା ସମୟରେ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ତାଙ୍କ ଦେହାନ୍ତ ଘଟିଛି । ଦୀର୍ଘ 8 ରୁ 9 ବର୍ଷ ଧରି ବାପା ହୃଦଘାତଜନିତ ଯନ୍ତ୍ରଣାରେ ପୀଡିତ ଥିଲେ ।’’ ତେବେ ରବିବାର ସକାଳେ ମୁମ୍ବାଇର ଦାଦାର ଶିବାଜୀ ପାର୍କ ରାଜଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ଶେଷକ୍ରିୟାରେ ବଲିଉଡର ଅନେକ ନାମିଦାମୀ କଳାକାର ଯୋଗ ଦେଇଥିଲେ । ବଲିଉଡର ଅନେକ ଦିଗଜ୍ ଅଭିନେତା ଅମିତାଭ ବଚ୍ଚନ, ଅନିଲ କପୁର ଏବଂ ସବାନ ଆଜମି ତାଙ୍କ ଆତ୍ମାର ଅମରଗତି ପାଇଁ ପ୍ରାର୍ଥନା କରିଛନ୍ତି ।
ଅମିତାଭ ବଚ୍ଚନ ନିଜ ବ୍ୟକ୍ତିଗତ ବ୍ଲଗରେ ତାଙ୍କୁ ଟ୍ରିବ୍ୟୁଟ ଦେଇ ଲେଖିଛନ୍ତି,‘‘ଗତ ସନ୍ଧ୍ୟାରେ ଆମେ ଆମର ମହାନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଉ ଏକ ସ୍ତମ୍ଭ ହରାଇଥିଲୁ ।’’ ରାଜଙ୍କ ଦ୍ୱାରା ଲିଖିତ ‘ହେପାଜତ’ ଫିଲ୍ମରେ କାମ କରିଥିବା ଭେଟେରାନ ଆକ୍ଟର ଅନିଲ କପୁର ଲେଖିଛନ୍ତି, ‘‘ଇଣ୍ଡଷ୍ଟ୍ରିର ଏକ ଯୁଗର ଅନ୍ତ ଘଟିଲା । ତାଙ୍କର ହୃଦୟ ସ୍ପର୍ଶୀ ଲେଖା ଆଉ ଦେଖିବାକୁ ମିଳିବନି । ଏହା ବଲିଉଡ ପାଇଁ ଅପୂରଣୀୟ କ୍ଷତି ।’’