ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଆଜି ହାଇଦ୍ରାବାଦରେ ତାଙ୍କ ସିନେମା ହଲ୍ AAA ସିନେମା ଉଦଘାଟନ କରିଛନ୍ତି । ବହୁ ପ୍ରତିକ୍ଷୀତ ଫିଲ୍ମ 'ଆଦିପୁରୁଷ' ଆସନ୍ତାକାଲି ଅର୍ଥାତ୍ ଜୁନ୍ 16 ରେ ଦେଶ ତଥା ବିଶ୍ବରେ ରିଲିଜ୍ ହେବାକୁ ଯାଉଛି । ତେବେ ଆଦିପୁରୁଷ ରିଲିଜରୁ ଏହି ଥିଏଟରର ଶୁଭାରମ୍ଭ କରାଯିବ । ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଅଲୁ ଅର୍ଜୁନ ଏହି ଖୁସି ଖବର ଦେଇଛନ୍ତି।
ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' ଆଗୁଆ ବୁକିଂରେ 5 ଲକ୍ଷରୁ ଅଧିକ ଟିକେଟ ବିକ୍ରି କରିସାରିଛି ଏବଂ ବର୍ତ୍ତମାନ ଦର୍ଶକ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି । ଏଠାରେ ଅଲ୍ଲୁ ଅର୍ଜୁନ ମଧ୍ୟ ତାଙ୍କ ନୂଆ ଥିଏଟର ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଅଲ୍ଲୁ ଅର୍ଜୁନ ନିଜ ଇନ୍ଷ୍ଟାଗ୍ରାମ ଏବଂ ଟ୍ୱିଟର ପୋଷ୍ଟରେ ଲେଖିଛନ୍ତି, 'ଆଜି ଆନନ୍ଦ ଏବଂ ଉତ୍ସବର ଦିନ, ଯେହେତୁ AAA ସିନେମା ହଲ୍ ଦ୍ବାର ଫିଲ୍ମ ଜଗତ ପାଇଁ ଖୋଲିଛି । ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି ଏବଂ ଏଠାକୁ ଆସି ସିନେମାର ମଜା ଉଠାନ୍ତୁ । ଫିଲ୍ମ ଜଗତରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ଆମ ସହ ଯୋଗ ଦିଅନ୍ତୁ ।'
ଥିଏଟରର ଉଦଘାଟନୀ ଉତ୍ସବରେ ଅଲୁ ଅର୍ଜୁନ ତାଙ୍କ ପିତା ଅଲ୍ଲୁ ଅରବିନ୍ଦ ଏବଂ ପୁଅଙ୍କ ସହ ପହଞ୍ଚିଥିଲେ । ଏଥିସହିତ ଥିଏଟର ବାହାରେ ଅଲ୍ଲୁ ଅର୍ଜୁନଙ୍କ ଲୁକ୍ ଦେଖିବାକୁ ଶହ ଶହ ପ୍ରଶଂସକ ଅପେକ୍ଷା କରିଥିଲେ । ଅଲ୍ଲୁ ଅର୍ଜୁନ ଏକ ସୁଟ୍-ବୁଟ୍ରେ ନଜର ଆସିଥିଲେ। ହାଇଦ୍ରାବାଦର ଆମିରପେଟରେ ଏହି ଥିଏଟର ଖୋଲାଯାଇଛି। ଅଲୁ ଅର୍ଜୁନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅଲ୍ଲୁ ଅର୍ଜୁନ ପରବର୍ତ୍ତୀ ଫିଲ୍ମ 'ପୁଷ୍ପା - ଦି ରୁଲ'ରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଅର୍ଥାତ୍ 2024ରେ ରିଲିଜ କରିବ ବୋଲି ଆଶା କରାଯାଉଛି ।
ସେପଟେ ଆଦିପୁରୁଷ ଫିଲ୍ମ ପାଇଁ ଟିକେଟ୍ ଆଡଭାନ୍ସ ବୁକିଂ 5 ଲକ୍ଷରୁ ଅଧିକ ହୋଇଛି । ଏହି ସମୟରେ ବଲିଉଡ ଅଭିନେତା ରଣବୀର କପୁର ଏବଂ 'ଆରଆରଆର' ତାରକା ରାମ ଚରଣ ଚଳଚ୍ଚିତ୍ର ଟିକେଟ କିଣି ପିଲାମାନଙ୍କୁ ମାଗଣାରେ ଦେଖାଇବାକୁ ଯାଉଛନ୍ତି । ଏଥିସହ 'କାଶ୍ମୀର ଫାଇଲ' ଏବଂ 'କାର୍ତ୍ତିକେୟ-୨'ର ନିର୍ମାତା ଅଭିଷେକ ଅଗ୍ରୱାଲ 10,000 ଟିକେଟ୍ ବାଣ୍ଟି ତେଲେଙ୍ଗାନାର ସରକାରୀ ସ୍କୁଲ ପିଲାମାନଙ୍କୁ ଏହି ଫିଲ୍ମ ଦେଖାଇବେ। ଖବର ଅନୁଯାୟୀ, 'ଆଦିପୁରୁଷ'ର ପ୍ରାୟ ଦେଢ ଲକ୍ଷ ଟିକେଟ୍ ଦାନ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ଯଦି ଏହି ଟିକେଟ୍ ଗୁଡିକର ଟଙ୍କା ହିସାବ କରାଯାଏ, ତେବେ ଏହା ପ୍ରାୟ 3ରୁ 3.50 କୋଟି ଟଙ୍କା ହେବ ବୋଲି କୁହାଯାଉଛି ।