ମୁମ୍ବାଇ:ଆରପାରିରେ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ । 66 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ଅଭିନେତା ଅନୁପମ ଖେର ଟ୍ବିଟ କରି ସୂଚନା ଦେଇଛନ୍ତି । ଟ୍ବିଟ କରି ଅନୁପମ କହିଛନ୍ତି ଯେ, "ମୃତ୍ୟୁ ହେଉଛି ଦୁନିଆର ଚରମ ସତ୍ୟ, କିନ୍ତୁ ମୁଁ ସ୍ୱପ୍ନରେ କେବେ ଭାବି ନ ଥିଲି ଯେ ମୁଁ ବଞ୍ଚିଥିବା ବେଳେ ମୋର ସବୁଠାରୁ ଭଲ ବନ୍ଧୁ ସତୀଶ କୌଶିକର ମୃତ୍ୟୁକୁ ନେଇ କିଛି ଲେଖିବି । 45 ବର୍ଷର ସମ୍ପର୍କରେ ହଠାତ ପୂର୍ଣ୍ଣଚ୍ଛେଦ ପଡିଛି । ତୁମ ବିନା ଜୀବନ ପୂର୍ବଭଳି କେବେବି ହୋଇପାରିବ ନାହିଁ । ଓମ୍ ଶାନ୍ତି ।"
ସତୀଶ କୌଶିକଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସେ ଏକା ଧାରାରେ ବଲିଉଡରେ ଜଣେ ହାସ୍ୟ ଅଭିନେତା, ସ୍କ୍ରିନ ରାଇଟର୍ ଏବଂ ଫିଲ୍ମ ନିର୍ମାତା ଥିଲେ । ଏପ୍ରିଲ 13 , 1965ରେ ସେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ । ବଲିଉଡରେ ପାଦ ଥାପିବା ପୂର୍ବରୁ ସେ ଥିଏଟରରେ ଅଭିନୟ କରିଥିଲେ । 1983ରେ ସେ କୁନ୍ଦନ ଶାହାଙ୍କ କମେଡି କ୍ଲାସିକ୍ ଜାନେ ଭି ଦୋ ପାଇଁ ସଂଳାପ ଲେଖିଥିଲେ ।
ସତୀଶ କୌଶିକଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ଥିଲା 1993ରେ ନିର୍ମିତ ଶ୍ରୀଦେବୀଙ୍କ ଅଭିନୀତ ରୂପ କି ରାନୀ ଚୋରନ୍ କା ରାଜା । ଏହାପରେ 1995ରେ ସେ ପ୍ରେମ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ବକ୍ସ ଅଫିସରେ ଏହି ଫିଲ୍ମ କମାଲ କରିପାରି ନଥିଲା । ଏହାପରେ ବି ସେ ନିର୍ଦ୍ଦେଶନା ଜାରି ରଖିଥିଲେ। 1999ରେ ସେ ହମ୍ ଆପକେ ଦିଲ୍ ମେନ୍ ରେହେତେ ହେଁ ତାଙ୍କର ପ୍ରଥମ ହିଟ୍ ଫିଲ୍ମ ଥିଲା । ଯାହା ଦର୍ଶକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଥିଲା । ସେ ଟିଭି ସୋ' ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ଡ୍ରାମା'ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । 2016ରେ ଫିଲ୍ମ ଉଡତା ପଞ୍ଜାବରେ ତାୟାଜି ଭୁମିକାରେ ନଜର ଆସିଥିଲେ ।
1987 ମସିହାରେ ସୁପର ହିରୋ ଫିଲ୍ମ ମିଷ୍ଟର ଇଣ୍ଡିଆରେ କ୍ୟାଲେଣ୍ଡର ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ସେହିପରି 1997ରେ ଦିଓ୍ବାନା ମସ୍ତାନାରେ ସେ ପପୁ ପେଜର ଓ 2007ରେ ସାରା ଗାଭରୋନଙ୍କ ନିର୍ଦ୍ଦେଶିତ ବ୍ରିଟିଶ୍ ଚଳଚ୍ଚିତ୍ର ବ୍ରିକ୍ ଲେନ୍ ରେ ଚାନୁ ଅହମ୍ମଦ ଭାବରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଏହାପରେ 1990 ମସିହାରେ ଫିଲ୍ମ ଫେୟାରରେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ । 1985 ମସିହାରେ ସେ ଶାସି କୌଶିକଙ୍କୁ ବିବାହ କରିଥିଲେ । 1996 ମସିହାରେ ତାଙ୍କ ଦୁଇ ବର୍ଷର ପୁଅ ସାନୁ କୌଶିକଙ୍କ ମୃତ୍ୟୁ ହୋଇଥିଲା ।