ହାଇଦ୍ରାବାଦ: ମେଗାଷ୍ଟାର ଚିରଞ୍ଜୀବୀ(Chiranjeevi) ତାଙ୍କର ଆଗାମୀ ତେଲୁଗୁ ଚଳଚ୍ଚିତ୍ର 'ଆଚାର୍ଯ୍ୟ' ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହିପରି ଏକ ପ୍ରମୋସନାଲ ଇଭେଣ୍ଟରେ ସେ ଏକ ଇଚ୍ଛା ପ୍ରକାଶ କରିଛନ୍ତି । ଅଭିନେତା ଚାହୁଁଛନ୍ତି ଯେ, ତାଙ୍କ ପରିବାରକୁ ଦକ୍ଷିଣର କପୁର ଭାବରେ ଜଣା ଯାଉ । ୩୩ ବର୍ଷ ପୂର୍ବେ କେମିତି ତାଙ୍କୁ ଅପମାନିତ ହେବାକୁ ପଡିଲା ଏକ ନୂଆ ସାକ୍ଷାତକାରରେ କହିଛନ୍ତି ।
ଚିରଞ୍ଜୀବୀଙ୍କ କହିବା ଅନୁଯାୟୀ, ଏହି ଘଟଣା ୧୯୮୯ର, ଯେତେବେଳେ ତାଙ୍କ ଚଳଚ୍ଚିତ୍ର 'Rudraveena' ନର୍ଗିସ୍ ଦତ୍ତ ପୁରସ୍କାର ପାଇବାକୁ ଯାଉଥିଲା । ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଆଯୋଜିତ ହୋଇଥିଲା, ତେଣୁ ଚିରଞ୍ଜୀବୀ ଦିଲ୍ଲୀରେ ପହଞ୍ଚିଥିଲେ । ଇଭେଣ୍ଟର ଗୋଟିଏ ଦିନ ପୂର୍ବରୁ ସରକାର ଏକ ବନ୍ଧୁ ମିଳନର ଆଯୋଜନ କରିଥିଲେ । ଏଠାରେ ଭାରତୀୟ ସିନେମା ପାଳନ କରାଯିବାର ଥିଲା । ବିଭିନ୍ନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକମାନେ ଏକାଠି ହୋଇଥାନ୍ତେ ।
ଚିରଞ୍ଜୀବୀ କହିଛନ୍ତି ଯେ, "ଭାରତୀୟ ସିନେମାର ଦିଗ୍ଗଜ କଳାକାରମାନଙ୍କ ସମ୍ମାନାର୍ଥେ ଏଠାରେ ଏକ କାନ୍ଥ ନିର୍ମାଣ କରାଯାଇଥିଲା । ଯେଉଁ କାନ୍ଥରେ ଦେଶର ସିନେମା ଆଇକନର ଫଟୋ ଲାଗିଥିଲା । ମୁଁ ସେହି କାନ୍ଥ ସାମ୍ନା ଦେଇ ଯାଉଥିଲି। ସାଉଥ୍ ଫିଲ୍ମସ୍ ବିଷୟରେ ଏଠାରେ କ'ଣ କ'ଣ ଅଛି ମୁଁ ଦେଖିବାକୁ ଚାହୁଁଥିଲି, କିନ୍ତୁ MGR, ଜୟଲଳିତା ଏବଂ ପ୍ରେମ ନଜିରଙ୍କ ବ୍ୟତୀତ ସେହି କାନ୍ଥରେ କୌଣସି ଫଟୋ ନଥିଲା । ସେହି ଫଟୋଗୁଡ଼ିକୁ ସାଉଥ୍ ଫିଲ୍ମସ୍ ଟାଇଟଲ୍ ଦିଆଯାଇଥିଲା । କେବଳ ଏତିକି । ସେ ଆମ ଇଣ୍ଡଷ୍ଟ୍ରୀ ଭେଟେରାନ୍ ରାଜ କୁମାର, ବିଷ୍ଣୁବର୍ଦ୍ଧନ, ଏନଟି ରାମା ରାଓ, ଶିବାଜୀ ଗଣେଶନ୍ କିମ୍ବା କୌଣସି ଚଳଚ୍ଚିତ୍ର ନିର୍ମାତାଙ୍କୁ ମଧ୍ୟ ଚିହ୍ନି ପାରିନଥିଲେ । ମୁଁ ସେତେବେଳେ ବହୁତ ଲଜ୍ଜିତ ଅନୁଭବ କଲି । ଏହା ମୋ ପାଇଁ ଅପମାନ ଭଳି ଥିଲା । ସେମାନେ ହିନ୍ଦୀ ସିନେମାକୁ ଭାରତୀୟ ସିନେମା ବୋଲି କହୁଥିଲେ । ଯେତେବେଳେ କି ଅନ୍ୟାନ୍ୟ ଚଳଚ୍ଚିତ୍ରଗୁଡିକ 'ଆଞ୍ଚଳିକ ସିନେମା' ବର୍ଗରେ ରଖାଯାଇଥିଲା ଏବଂ ସେମାନଙ୍କୁ କୌଣସି ପ୍ରକାରର ସମ୍ମାନ ଦିଆଯାଉ ନଥିଲା।"
ମେଗାଷ୍ଟାର ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ପରିସ୍ଥିତି ବଦଳିଛି, ରାଜାମୌଲିଙ୍କ 'ବାହୁବଳୀ' ସଫଳତାର ସହ ହିନ୍ଦୀ ଏବଂ ଆଞ୍ଚଳିକ ଚଳଚ୍ଚିତ୍ର ମଧ୍ୟରେ ଥିବା କାନ୍ଥକୁ ଭାଙ୍ଗି ଦେଇଛି । ମୁଁ ବାହୁବଳୀ (Baahubali- The Beginning)ପାଇଁ ଗର୍ବିତ । କାରଣ ଏହି ଚଳଚ୍ଚିତ୍ରଟି ଆଞ୍ଚଳିକ ଏବଂ ହିନ୍ଦୀ ସିନେମାର ପାର୍ଥକ୍ୟକୁ ଶେଷ କରିଦେଇଛି । ଏବଂ ପ୍ରମାଣିତ କରିଛି ଯେ, ଆମେ ସମସ୍ତେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀର ଏକ ଅଂଶ । ଏହି ଚଳଚ୍ଚିତ୍ରଗୁଡ଼ିକ ତେଲୁଗୁ ଦର୍ଶକଙ୍କୁ ସମ୍ମାନିତ ଅନୁଭବ କରାଇଛି । ଏସ୍ ରାଜାମୌଲିଙ୍କୁ ନମସ୍କାର ଯେ ସେ ଆମକୁ 'ବାହୁବଳୀ' ଏବଂ RRR ପରି ଚଳଚ୍ଚିତ୍ର ଦେଇଛନ୍ତି । ଏଥିପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ।''
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ