ମୁମ୍ବାଇ: 60 ବର୍ଷ ବୟସରେ ପୁଣି ବିବାହ କରିଛନ୍ତି ଅଭିନେତା ଆଶିଷ ବିଦ୍ୟାର୍ଥୀ । ବଲିଉଡ ଖଳନାୟକ ଚେହେରା ଆଶିଷ ବିଦ୍ୟାର୍ଥୀ ଦ୍ବିତୀୟ ବିବାହ କରିଛନ୍ତି । ଗତକାଲି (ଗୁରୁବାର) ଆସାମର ରୂପାଲି ବରୁଆଙ୍କୁ (33) ବିବାହ କରିଛନ୍ତି ଆଶିଷ । ରୂପାଲି ଜଣେ ଫ୍ୟାସନ ଡିଜାଇନର ସହ ବ୍ୟବସାୟୀ । ଉଭୟ କୋର୍ଟ ମ୍ୟାରେଜ କରିଛନ୍ତି । ବିବାହ ସମୟରେ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ଆଶିଷ ବିବାହ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କ ବିବାହ ଖବର ଜଣାଇଛନ୍ତି ।
ଜାତୀୟ ପୁରସ୍କାର ବିଜେତା ଆଶିଷ ଆସାମର ପ୍ରତିଷ୍ଠିତ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ପ୍ରଥମ ବିବାହ କରିଥିଲେ । ଏବେ ଗୌହାଟୀର ରୂପାଲିଙ୍କୁ ଜୀବନସାଥୀ କରିଛନ୍ତି ଆଶିଷ । ରୂପାଲି ବର୍ତ୍ତମାନ କୋଲକାତାରେ ଏକ ପ୍ରତିଷ୍ଠିତ ଫ୍ୟାଶନ ହାଉସ ସହ ଜଡିତ ଅଛନ୍ତି । ରୂପାଲିଙ୍କୁ କୋର୍ଟ ମ୍ୟାରେଜ କରିବା ପରେ ପ୍ରତିକ୍ରିୟା ରଖି ଆଶିଷ କହିଛନ୍ତି,"ଜୀବନର ଏହି ପର୍ଯ୍ୟାୟରେ ରୂପାଲିଙ୍କୁ ବିବାହ କରିବ ଏକ ଅସାଧାରଣ ଅନୁଭବ । କୋର୍ଟରେ ବିବାହ କରିବା ପରେ ଏକ ପାର୍ଟିର ଆଯୋଜନ କରାଯାଇଛି ।''
ରୂପାଲିଙ୍କୁ କିପରି ଭେଟିଲେ ପ୍ରଶ୍ନରେ ଆଶିଷ କହିଛନ୍ତି ଏହା ଲମ୍ବା କଥା ଅନ୍ୟ ସମୟରେ କହିବି । ସେହିପରି ରୂପାଲି କହିଛନ୍ତି, କିଛି ଦିନ ପୂର୍ବରୁ ଆମେ ପରସ୍ପରକୁ ଭେଟିଥିଲୁ । ପରେ ଏହି ସମ୍ପର୍କକୁ ଆଗକୁ ନେବାକୁ ସ୍ଥିର କରିଥିଲୁ । ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛୁ । ଆଶିଷ ଜଣେ ଭଲ ହୃଦୟବାନ ମଣିଷ ।