ମୁମ୍ବାଇ: ବର୍ଦ୍ଧିତ ସେଲସ୍ ଟ୍ୟାକ୍ସ(ବିକ୍ରୟ କର) ନେଇ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ମହାରାଷ୍ଟ୍ର ବିକ୍ରୟ କର ବିଭାଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ସେଲସ୍ ଟ୍ୟାକ୍ସ ଡେପୁଟି କମିଶନରଙ୍କ ପକ୍ଷରୁ ୨୦୧୨-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷ ପାଇଁ ଅଭିନେତ୍ରୀଙ୍କୁ ଟ୍ୟାକ୍ସ ନୋଟିସ୍ ମିଳିଛି । ନୋଟିସ୍ରେ ତାଙ୍କୁ ଜଣେ ଅଭିନେତ୍ରୀ ବା ପ୍ରଦର୍ଶନକାରୀଙ୍କ ପାଇଁ ଉଦ୍ଦିଷ୍ଟ ହାର ଅପେକ୍ଷା ଅଧିକ ଟିକସ୍ ଦେବାକୁ କୁହାଯାଇଥିବା ସେ ଯୁକ୍ତି କରିଛନ୍ତି । ଏହାକୁ ଚ୍ୟାଲେଞ୍ଜ କରି ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।
ଅଭିନେତ୍ରୀ ତଥା କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ବିକ୍ରୟ କର ବିଭାଗର ଆଦେଶ ରବ୍ଦ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି । ଗୁରୁବାର ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ନୀତିନ ଜାମଦାର ଏବଂ ଜଷ୍ଟିସ ଅଭୟ ଆହୁଜାଙ୍କ ନେଇ ଗଠିତ ଖଣ୍ଡପୀଠ ଅନୁଷ୍କାଙ୍କ ଆବେଦନକୁ ବିଚାର କରି ଏହାର ଉତ୍ତର ଦେବାକୁ ମହାରାଷ୍ଟ୍ର ବ୍ରିକୟ କର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃୟାରୀ ୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।