ହାଇଦ୍ରାବାଦ:ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ମଲାୟାଲମ୍ ଫିଲ୍ମ ‘୨୦୧୮: ଏଭ୍ରିଓ୍ବାନ ଇଜ୍ ଏ ରିୟଲ ହିରୋ’ । ଓସ୍କାର 2024ରେ ମାଲାୟାଲମ ଫିଲ୍ମ ‘2018’କୁ ଭାରତ ପକ୍ଷରୁ ପଠାଯିବ । ଏନେଇ ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆ ଘୋଷଣା କରିଛନ୍ତି । କେରଳର ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ । ଏହି ଚଳଚ୍ଚିତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ମାନବ ବିଜୟର ଚିତ୍ର ରହିଛି ।
ଫିଲ୍ମ ‘୨୦୧୮’ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀରେ ଓସ୍କାର୍ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ । କହି ରଖୁଛୁ, ୨୦୦୨ରେ ଲଗାନ ପରଠାରୁ କୌଣସି ଭାରତୀୟ ଫିଚର୍ ସିନେମା ଓସ୍କାର ପାଇଁ ମନୋନୀତ ହୋଇନଥିଲେ । ଦୀର୍ଘ ୨୧ ବର୍ଷ ପରେ ଭାରତ ପାଇଁ ପୁଣି ଏହି ସୁଯୋଗ ଆଣି ଦେଇଛି ମଲାୟାଲମ୍ ଫିଲ୍ମ ‘୨୦୧୮’ । ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ ପାଇଁ ୯୬ତମ ଓସ୍କାର ୨୦୨୪ ମାର୍ଚ୍ଚ ୧୦ରେ ଲସ୍ ଏଞ୍ଜେଲସରେ ଆୟୋଜିତ ହେବ । ଜୁଡେ ଆନ୍ଥାନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ୍, କୁଞ୍ଚାକୋ ବୋବାନ୍, ଆସିଫ୍ ଅଲି, ବିନୀତ ଶ୍ରୀନିବାସନ୍, ନାରାଅନ୍ ଏବଂ ଲାଲ ଅଭିନୟ କରିଛନ୍ତି। ‘୨୦୧୮: ଏଭ୍ରିଓ୍ବାନ ଇଜ୍ ଏ ରିୟଲ ହିରୋ’ ଚଳିତ ବର୍ଷ ମେ' ମାସରେ ମୁକ୍ତିଲାଭ କରିଥିଲା । ବକ୍ସ ଅଫିସରେ ସିନେମାକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା। ମାଲୟାଲମ ସିନେମା ଜଗତରେ ଏହା ସବୁଠାରୁ ଅଧିକ ରୋଜଗାର କରିଥିଲା ।
ଏହା ମଧ୍ୟ ପଢନ୍ତୁ: ପ୍ରଥମ ଭାରତୀୟ ଫିଚର ଡକ୍ୟୁମେଣ୍ଟାରୀ ଫିଲ୍ମ ଭାବେ Writing With Fire ଓସ୍କାର ପାଇଁ ମନୋନୀତ