ଭୁବନେଶ୍ବର: ରାଜଧାନୀ ରାଜନୀତିରେ ବସ୍ତି ବାସିନ୍ଦାଙ୍କ କାଟତି ଆଗରୁ ରହିଆସିଛି । ଯେଉଁ ଦଳ ବସ୍ତିଭୋଟରୁ ସିଂହଭାଗ ପାଏ, ସେହିଦଳର ପ୍ରାର୍ଥୀ ଜିଣିବା ଏକ ପ୍ରକାର ନିଶ୍ଚିତ । ଏହାର ନଜରି ପୂର୍ବ ନିର୍ବାଚନ ଫଳାଫଳ ଫର୍ଦ୍ଦ ଓଲଟାଇଲେ ଦେଖାଯାଏ । ପୂର୍ବରୁ ସମସ୍ତ ନିର୍ବାଚନରେ ବସ୍ତିବାସିନ୍ଦାଙ୍କ ଭୋଟ ରାଜଧାନୀରେ ରାଜ୍ କରିବା ପାଇଁ ନିର୍ଣ୍ଣାୟକ ହୁଏ । ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ବିଧାନସଭା କ୍ଷେତ୍ରରେ ବସ୍ତି ଭୋଟ କେତେ ପ୍ରଭାବ ପକାଇବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ଭୁବନେଶ୍ବରରେ ୩ଟି ଯାକ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୫୦୦ରୁ ଅଧିକ ବସ୍ତିରେ ବସ୍ତିବାସିନ୍ଦାଙ୍କ ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ। ଏମାନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି । ଏଥର ମଧ୍ୟ ଅନୁରୂପ ଭାବେ ଏମାନଙ୍କ ଭୋଟକୁ ନେଇ ଜୋର ଚର୍ଚ୍ଚା । ବସ୍ତିବାସିନ୍ଦାଙ୍କ ମତରେ ଚିହ୍ନ ନୁହେଁ କି ଦଳ ନୁହେଁ ବରଂ ନିଜର ସମସ୍ୟାକୁ ଯିଏ ଗୁରୁତ୍ବ ଦେବ,ସେମାନଙ୍କ ପାଇଁ ଯିଏ ସହାୟତାର ନିର୍ଭର ପ୍ରତିଶ୍ରୁତି ଦେବ ସେମାନେ ତାକୁ ହିଁ ଭୋଟ ଦେବେ ।
ଭୁବନେଶ୍ବର ମହାନଗର ନିଗମ ମଧ୍ୟ ନିର୍ବାଚନ ମଣ୍ଡଳୀର ସହୀଦନଗରରେ ଥିବା ୩୦ନଂ ୱାର୍ଡର ଶାନ୍ତିପଲ୍ଲୀ ବସ୍ତି । ଏଠିକାର ଭୋଟରଙ୍କ ରୋକଠୋକ ମତ ସେମାନଙ୍କ ପାଇଁ ଯିଏ କାମ କରିବ ସେଭଳି ପ୍ରାର୍ଥୀଙ୍କୁ ସେମାନେ ଭୋଟ ଦେବେ । ବସ୍ତିରେ ରହୁଥିବା ଅଙ୍ଗନବାଡ଼ି କର୍ମୀ ପ୍ରତିଚି ସାହୁଙ୍କ ମତରେ ଦଳ ନୁହେଁ କି ଚିହ୍ନ ନୁହେଁ ଯିଏ ସେମାନଙ୍କ ସମସ୍ୟା ଠିକ ଭାବରେ ଦୂର କରିବ, ଭଲ ଘର ଖଣ୍ଡିଏ ନିର୍ମାଣ କରିପାରିବ ତାକୁ ଆମେ ଭୋଟ ଦେବୁ ।