ରାଉରକେଲା: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ପାଇଁ ଏବେ ରାଜ୍ୟକୁ ଉଭୟ ବିଜେପି ଓ କଂଗ୍ରେସର ଜାତୀୟ ସ୍ତରର ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ବିଶେଷ କରି ବିଜେପି ନିଜ ମିଶନ 120ପ୍ଲସକୁ ନିର୍ଣ୍ଣାୟକ ମୁଡରେ ପହଞ୍ଚାଇବା ପାଇଁ ଦଳ ଏବେ ଫୁଲ ଦମରେ ଲାଗିପଡିଛି । ଦଳର ଜଣେ ପରେ ଜଣେ କେନ୍ଦ୍ରୀୟ ନେତା ଓଡିଶା ଆସି ଘମାଘୋଟ ପ୍ରଚାର କରୁଛନ୍ତି ।
ଏହିକ୍ରମରେ ଆସନ୍ତା 15ରେ ବିଜେପିର ଷ୍ଟାର ପ୍ରଚାରକ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରାଉରକେଲା ଆସିବେ । ଏସମ୍ପର୍କରେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗୀଙ୍କ ଗସ୍ତର ସମ୍ପୂର୍ଣ ସୂଚନା ଦେବା ସହ ରାଉରକେଲାର ପୂର୍ବ ବିଧାୟକ ତଥା ବରିଷ୍ଠ ରାଜନେତା ଦିଲ୍ଲୀପ ରାୟଙ୍କୁ ନେଇ ମୁହଁ ଖୋଲିଛନ୍ତି ଜୁଏଲ । କହିଛନ୍ତି ଦିଲ୍ଲୀପ ଯେଉଁ କାର୍ଯ୍ୟ ପାଇଁ ଦଳ ଛାଡିଥିଲେ ତାହାର କାମ ଏବେ ଆଗେଇଛି ଏବଂ ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ।