କଳାହାଣ୍ଡି: ପାଖେଇ ଆସୁଛି ନିର୍ବାଚନୀ ମତଦାନ ସମୟ । ଏଥିପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି । ଏଭଳି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲାରେ ଚାଲିଛି ହାଇପ୍ରୋଫାଇଲ ପ୍ରଚାର । ଚଳିତ ନିର୍ବାଚନରେ କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ । ନିର୍ବାଚନୀ ବୈତରଣୀ ପାର ହେବା ପରେ ଭକ୍ତ ନିଜ ଜିଲ୍ଲା ପାଇଁ କଣ ସବୁ କରିବେ ଏବଂ କେଉଁ ସବୁ ସମସ୍ୟା ଉପରେ ତାଙ୍କର ନଜର ରହିବ, ସେ ନେଇ ଇଟିଭି ଭାରତର 'ୱାନ ଟୁ ୱାନ' କାର୍ଯ୍ୟକ୍ରମରେ ନିଜ ମତ ରଖିଛନ୍ତି ।
ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସହ ଜିଲ୍ଲାର ବେକାରଙ୍କୁ ଥଇଥାନ, ମହିଳାଙ୍କୁ ସୁରକ୍ଷା ପ୍ରଦାନ, ପାନୀୟ ଜଳ ଆଦି ସମସ୍ୟାକୁ ଦୂର କରିବା ଭକ୍ତଙ୍କ ପ୍ରଥମ ପ୍ରାଥମିକତା ରହିବ । ଏଥିସହିତ ଜିଲ୍ଲାରେ ଚାଷୀ ଋଣ ଛାଡ, 2600 ଟଙ୍କାରେ ଧାନ ବିକ୍ରି ସହ ପ୍ରତି ଗରିବ ପରିବାରର ମହିଳାଙ୍କୁ 72 ହଜାର ଟଙ୍କା ଯୋଗାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏତଦବ୍ୟତୀତ ମେଡିକାଲ କଲେଜ ସ୍ଥାପନ, ୱାଗନ ଫ୍ୟାକ୍ଟ୍ରି ନିର୍ମାଣ, କୃଷି ବିଶ୍ବ ବିଦ୍ୟାଳୟ ସ୍ଥାପନ ସହ ଭବାନୀପାଟଣା କଲେଜକୁ ସ୍ବୟଂ ଶାସିତ କରିବା ତାଙ୍କର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି ।