ଗଜପତି: ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୧ ମାସ ପୁରିଛି । ଘଟଣାକୁ ଏତେଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ତଦନ୍ତକାରୀ ଦଳର ହାତ ଖାଲି । ଘଟଣାର ପଛର ସତକୁ ସାମ୍ନାକୁ ଆଣିବାରେ ସଫଳ ହୋଇପାରିନି ପୋଲିସ । ଘଟଣାର ତଦନ୍ତ ପାଇଁ ପୋଲିସ୍ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ଗୌଡଗାଁରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପାମାଆଙ୍କୁ ଦୁଇଦୁଇ ଥର ପଚରାଉଚରା କରିଛି ।
ସେପଟେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏହି ମାମଲାରେ ସାମିଲ ଥିବା ନେଇ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଗଜପତି ଡିଏଫଓଙ୍କ ସହ ରୋଷେୟା ମନ୍ମଥ କୁମ୍ଭଙ୍କୁ ୩ଥର ଜେରା କରିଛି । ଖାଲି ସେତିକି ନୁହେଁ ସୌମ୍ୟଙ୍କ ପୈତୃକ ଗାଁ ବାଲେଶ୍ବର ଜିଲ୍ଲା ଖଇରାକୁ ଯାଇ ତାଙ୍କ ବାପା, ମା’ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରିଛି ତଦନ୍ତାକାରୀ ଦଳ । ଏହାପରେ ମଧ୍ୟ ପୋଲିସ ହାତ ଖାଲିଥିବା ବେଳେ ତଦନ୍ତକାରୀ ଦଳ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି ।
ଏହି ଘଟଣାର ବିଭିନ୍ନ ତଥ୍ୟକୁ ନେଇ ମିଡିଆ ଟ୍ରାଏଲ ମଧ୍ୟ ହୋଇଛି । ପାରଳାଖେମୁଣ୍ଡି ପୋଲିସ ଏହି ହାଇପ୍ରୋଫାଇଲ୍ ଘଟଣା ଉପରୁ ପରଦା ହଟାଇବାକୁ ନେଇ ଇଚ୍ଛା ପ୍ରକାଶ କରୁନଥିବା ମନେ ହେବାକୁ ଲାଗିଲାଣି । ପୋଲିସ ଘଟଣାକୁ ଅଧିକ ରହସ୍ୟାକୃତ କରୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ଅନେକ କାରଣ ରହିଛି । ସୌମ୍ୟଙ୍କ ସହ ଏହି ଘଟଣା ଘଟିବା ପରେ ଘଟଣାସ୍ଥଳର ଚାବି ପୋଲିସ ଡିଏଫଓ କାର୍ଯ୍ୟାଳୟକୁ ଦେଇ ଦେବା, 95ପ୍ରତିଶତରୁ ଅଧିକ ପୋଡ଼ି ହୋଇଯାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରାଇବା ପରିବର୍ତ୍ତେ ଦୀର୍ଘ ସମୟ କୌଣସି ସୁବିଧା ନଥିବା ପାରଳାଖେମୁଣ୍ଡି ହସ୍ପିଟାଲରେ ରଖିବା ଓ ତାଙ୍କ ଜମାନବନ୍ଦୀ ରେକର୍ଡ କରିବା । ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଧରି ଅଧା ବାଟରେ ଅଟକାଇବା, ଜମାନବନ୍ଦୀ ଆଧାରରେ ତନ୍ଦନ୍ତ ନକରିବା ଆଦି ପୋଲିସକୁ ସନ୍ଦେହ ଘେରକୁ ଆଣୁଛି ।