ଭଦ୍ରକ: ପାରିବାରିକ କଳହରୁ ବୀଭତ୍ସ ହତ୍ୟାକାଣ୍ଡ । ଉଗ୍ର ରୂପ ନେଲା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ । ପୁଅ ଝିଅ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଗତ ନଭେମ୍ବର ୨୪ ତାରିଖ ଦିନ ଭଦ୍ରକ ଦୌଲତପୁର ପଞ୍ଚାୟତ ଅଧିନ ଖେଦରପୁର ଗ୍ରାମରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତକ ଜଣଙ୍କ ହେଉଛନ୍ତି ବାବୁଆ ଦାସ । ଏହି ହତ୍ୟା ଘଟଣାରେ ମୃତକଙ୍କ ସ୍ତ୍ରୀ ବାସନ୍ତୀ ଦାସ, ଝିଅ ଓ ଜ୍ବାଇଁଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବା ଲାଗି ଉଦ୍ୟମ ଜାରି ରଖିଥିବା ଚାନ୍ଦବାଲି ଏସଡିପିଓ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ମତାନ୍ତର ହୋଇ ଅଶାନ୍ତି ଲାଗିରହୁଥିଲା । ଏନେଇ ବହୁ ସମୟରେ ସ୍ତ୍ରୀ ବାବୁଆଙ୍କ ପାଖରେ ନରହି ତାଙ୍କ ବାପ ଘରେ ରହୁଥିଲେ । ତେବେ ଗତ ୨୪ ତାରିଖ ଦିନ ବାବୁଆ ଘର ବାହାରେ ଭୋଜି ଖାଇ ଶୋଇଥିବା ବେଳେ ସ୍ତ୍ରୀ ବାସନ୍ତୀ, ୩ ପୁଅ ଓ ଝିଅ ମିଶି ବାବୁଆଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାବୁଆ ଗୁରୁତର ହୋଇ ପଡ଼ିଥିଲା । ଏନେଇ ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ହତ୍ୟାକାଣ୍ଡ ଘଟଣାରେ ମୃତକଙ୍କ ମାଆ ବେଙ୍ଗ ଦାସ ବାସନ୍ତୀ ଦାସ, ୩ ପୁଅ ମଣ୍ଟୁଆ, ମାନିଆ, ସନିଆ, ଝିଅ ସୁନ୍ଦୁରୀ ଓ ସମ୍ପର୍କୀୟ ବସନ୍ତ ଦାସଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ବାସନ୍ତୀ ଦାସ, ଝିଅ ଓ ଜ୍ବାଇଁଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ନାବାଳକ ପୁଅକୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଛି ।