ସମ୍ବଲପୁର:ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ଗୋଟିଏ ଗାଡିରେ ୨ଟି ନମ୍ବର ପ୍ଲେଟ ଲଗାଇ ଗଞ୍ଜେଇ ଚୋରା ଚାଲାଣବେଳେ ମାଡିବସିଲା ଅବକାରୀ ବିଭାଗ । ଗାଡି ଆଗରେ ଝାରସୁଗୁଡା ଜିଲ୍ଲାର ନମ୍ବର ପ୍ଲେଟ୍ ଲାଗିଥିବାବେଳେ ଓ ପଛ ପଟ ପ୍ଲେଟରେ ଲାଗିଥିଲା ଛତିଶଗଡ଼ ରାଜ୍ୟର ନମ୍ବର । ଚଢାଉ ପରେ ୪୦ କିଲୋ ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଅବକାରୀ ବିଭାଗ (Sambalpur Excise Department) l
ମିଳିଥିବା ସୂଚନା ଅନୁଯାୟୀ, ଗତ ଏକ ସପ୍ତାହ ହେଲାଣି ସମ୍ବଲପୁର ସହରର ବିଭିନ୍ନ ରାସ୍ତାରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ ଜାରି ରହିଛି । ବିଶେଷ କରି ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ଘଟଣା ବୄଦ୍ଧି ପାଉଥିବାରୁ ଏହି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲା । ଶୁକ୍ରବାର ଏକ କାର ସୋନପୁର ପଟୁ ଆସି ସମ୍ବଲପୁର ଝାରସୁଗୁଡା ରାସ୍ତାରେ ଯାଉଥିବାବେଳେ, ଗାଡିରେ ୨ଟି ନମ୍ବର ପ୍ଲେଟ ଦେଖି ଅବକାରୀ ବିଭାଗ ସନ୍ଦେହ କରିଥିଲା । ଫଳରେ କାର୍ଟିକୁ ପିଛା କରି ସମ୍ବଲପୁର ଝାରସୁଗୁଡା ରାସ୍ତାର ଶାସନଠାରେ ଅଟକାଇଥିଲା । ଏହା ପରେ କାର୍ଟିକୁ ଯାଞ୍ଚ କରିବାରୁ ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛି ଜିଲ୍ଲା ଅବକାରୀ ବିଭାଗ ।