ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ସାତକୋଶିଆ ପ୍ରଧାନସାହିରେ ପରିବା ବିକଳୀଙ୍କୁ ହତ୍ୟାକାଣ୍ଡ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡ ପଛରେ ମୃତ ଭାଗମାତଙ୍କ ବୋହୂର ମାମୁଁ ପୁଅ ଭାଇ ମୁଖ୍ୟ ଖଳନାୟକ ଥିବାବେଳେ ତା' ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ୨୯ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା ।
ସୂଚନା ଅନୁଯାୟୀ, ପ୍ରଧାନସାହି ଗ୍ରାମର ଭାଗମାତ କାଣ୍ଡିୟାଙ୍ଗ ଗୁରବାର ସାପ୍ତାହିକ ହାଟକୁ ପରିବା ବିକ୍ରି କରିବାକୁ ଯାଇ ନିଜର ଲୁନା ଯୋଗେ ରାତିରେ ଘରକୁ ଫେରୁଥିଲେ । ଏହି ସମୟରେ ଗ୍ରାମ ନିକଟରେ ତାଙ୍କୁ ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରାଯାଇଥିଲା । ତା' ପରଦିନ ସକାଳେ ରାସ୍ତାକଡରେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ତ୍ରୀ ନଗେଶ୍ବରୀ ମହୁଲଡ଼ିହା ଥାନାରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରିଥିଲା ।
ଛାନଭିନରୁ ଏହି ହତ୍ୟାକାଣ୍ଡ ପଛରେ ଶାଳଚୁଆ ଗ୍ରାପ ବାଉଁଶପାଣି ଗ୍ରାମର ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ସମାଡ଼ (୨୫), ରମେଶ ହାଇବୁରୁ (୩୯), ବିରେନ୍ଦ୍ର ହାଇବୁରୁ(୩୮), ବିରସିଂ ହୋ (୨୫ ) ଥିବା ଜଣାପଡିଥିଲା । ଏହାପରେ ପୋଲିସ ସେମାନଙ୍କୁ ଗିରଫ କରି ପଚରାଉଚରା କରିଛି । ପୋଲିସର ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ମୃତକ ଭାଗମାତ ନିଜ ବୋହୂକୁ ଘରେ ଅସଦାଚରଣ କରିଥିଲେ । ଏହାପରେ ବୋହୂ ଶାଶୁ ଘର ଛାଡି ଗ୍ରାମ ନିକଟରେ ଜଣେ ସମ୍ପର୍କୀୟ ଘରେ ରହିଥିଲେ ।