ନବରଙ୍ଗପୁର: ବହୁ ଚର୍ଚ୍ଚିତକୋଷାଗୁମୁଡା ବ୍ଲକ ବି ଗୁମଣ୍ଡଳି ଗାଁରେ ଜଣଙ୍କୁ ହତ୍ୟା ମାମଲାରେ ଆଜି ଅଭିଯୁ୍କ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ । ୨୦୧୯ରେ ବି-ଗୁମଣ୍ଡଳି ଗାଁର ପଦ୍ମନ ନାୟକଙ୍କୁ ହତ୍ୟା କରିଥିଲେ ତାଙ୍କ ବାପା ଓ ୩ ଭାଇ ।
ବି ଗୁମଣ୍ଡଳି ଗାଁ ହତ୍ୟାକାଣ୍ଡର ରାୟ ପ୍ରକାଶ, ବାପା ସହ ୩ ପୁଅକୁ ଆଜୀବନ କାରାଦଣ୍ଡ ଏହି ହତ୍ୟାକାଣ୍ଡରେ ୪ ଜଣଙ୍କୁ ଗିରଫ କରି ତଦନ୍ତ କରୁଥିଲା ପୋଲିସ । ଏହି ମାମଲାର ବିଚାର କରି ଆଜି ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ସଞ୍ଜୀବ ଦୁବେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶର ରାୟ ଶୁଣାଇଛନ୍ତି । ୨୦୧୯ ଏପ୍ରିଲ ୪ ତାରିଖରେ ଏକ ଜମିଜମା ବିବାଦକୁ ନେଇ ପଦ୍ମନ ନାୟକଙ୍କୁ ତାଙ୍କ ନିଜ ବାପା ଓ ୩ ଭାଇ ନିର୍ମମ ଭାବରେ ହତ୍ୟା କରିଥିଲେ ।
ଏହାକୁ ନେଇ ମୃତକଙ୍କ ପତ୍ନୀ ଡମୁଣି ନାୟକ କୋଷାଗୁମୁଡା ଥାନାରେ ଏତଲା ଦେଇଥିଲେ । ଏହି ଅଭିଯୋଗ ପରେ ପଦ୍ମନଙ୍କ ବାପା ପ୍ରେମନାଥ ନାୟକ, ଭାଇ ଶ୍ରୀଧର ନାୟକ, ଶ୍ୟାମ ସୁନ୍ଦର ନାୟକ ଏବଂ ଦାମଦର ନାୟକଙ୍କୁ ଗିରଫ କରିଥିଲା ପୋଲିସ । ୨୨ଜଣ ସାକ୍ଷ ଓ ପ୍ରମାଣକୁ ଭିତ୍ତିକରି ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ ଏହି ମାମଲାରେ ଆଜି ରାୟ ଦେଇଛନ୍ତି । ଆଜୀବନ କାରାଦଣ୍ଡ ସହ ଦୋଷୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଦଣ୍ଡ ବିଧାନ କରିଛନ୍ତି କୋର୍ଟ । ଜୋରିମାନା ଅନାଦେୟ ହେଲେ ଏକ ବର୍ଷ ଅଧିକ ସଶ୍ରମ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ