ଭୁବନେଶ୍ବର:କୋକୋ ଜୋଜୋ ପରେ ସାମ୍ନାକୁ ଆସିଲା ଆଉ କିଛି ଲୋନ ଠକେଇ ଆପ୍ । ଡିଜିଟାଲ ବଟୁଆ, ସ୍ବିଚ ଇନଫୋଟେକ, ବଚତ ଅନଲାଇନ ଭଳି ଲୋନ ଆପରେ ଠକୁଥିବା ଆଉ ଜଣେ ଠକକୁ ବାନ୍ଧିଲା ଇଓଡବ୍ଲୁ(EOW) । ଗୁରୁଗାଁଓରୁ ଠକ ତରୁନ ଡୁଡେଜାକୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ୱର କୋର୍ଟ ଚାଲାଣ କରିଛି ଇଓଡବ୍ଲୁ ଟିମ । ତେବେ ଗିରଫ ଅଭିଯୁକ୍ତ ଜଣଙ୍କ ଇନଷ୍ଟାଣ୍ଟ ଲୋନ ଦେବା ଆଳରେ ଲୋନ ଆପ ଜରିଆରେ ଲୋକଙ୍କୁ ଠକୁ ଥିଲା । ଏପରିକି ଠକାମିରୁ ଧରାନପଡିବାକୁ ବିଭିନ୍ନ ପର୍ଯ୍ୟାୟରେ ନିଜ ଆକାଉଣ୍ଟକୁ ଠକେଇ ଟଙ୍କା ନେଉଥିଲା ।
କିଛି ଗରିବ ଲୋକଙ୍କୁ ନିଜ କର୍ମଚାରୀଙ୍କ ଜରିଆରେ ଯୋଗାଯୋଗ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ କହି ସେହି ଆକାଉଣ୍ଟରେ ସେମାନଙ୍କ ନାରେ ନେଇଥିବା କିଛି ସିମକାର୍ଡକୁ ଦେବାକୁ କହୁଥିଲା । ଏହାପରେ ଆକାଉଣ୍ଟ ଓ ସେହି ସିମକାର୍ଡ ଜରିଆରେ ଲୋନ ଆପରେ ଠକାମି ହେଉଥିବା ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନସଫର କରୁଥିଲା ଅଭିଯୁକ୍ତ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ EOW ଟିମ ଖୋଳତାଡ କରି ଆକାଉଣ୍ଟରେ ହୋଇଥିବା ଟ୍ରାନଜାକ୍ସନକୁ ଆଧାର କରି ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ।