ନୂଆଦିଲ୍ଲୀ: ବିବାହ ପାଇଁ ଜିଦ ଧରିବାରୁ ପ୍ରେମିକା ଶ୍ରଦ୍ଧାକୁ ୩୫ ଖଣ୍ଡ କଲା ପ୍ରେମିକ (Shraddha Walker Murder Case)। ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ଅଫତାବ ପୁନଓ୍ବାଲାର ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି । ଗିରଫ ପରେ ପୋଲିସ ଆଗରେ ସତ ଓଗାଳୁଛି ହତ୍ୟାକାରୀ ପ୍ରେମିକ ।
ପ୍ରେମିକା ଶ୍ରଦ୍ଧା ୱାଲକରଙ୍କ ହତ୍ୟା ପରେ ମୃତ ଶରୀରର ଖଣ୍ଡ ଗୁଡିକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ହତ୍ୟାକାରୀ । ଏହି ହତ୍ୟା ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଯେତେବେଳେ ଅଫତାବ ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା । ସେତେବେଳେ ମଧ୍ୟ ସେ ଅନ୍ୟ ଝିଅଙ୍କ ସହିତ ଡେଟ କରୁଥିଲା ।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଅଫତାବ ଶ୍ରଦ୍ଧାକୁ ହତ୍ୟା କରିବା ପରେ ଅନ୍ୟ ଜଣେ ଯୁବତୀ ସହିତ ଏକ ଡେଟିଂ ଆପ ମାଧ୍ୟମରେ ଯୋଗାଯୋଗ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଯେ, ଅଫତାବ କେବେ ଠାରୁ ଅନ୍ୟ ଯୁବତୀଙ୍କ ସହ ମିଳାମିଶା ଆରମ୍ଭ କରିଥିଲେ । ତେବେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ଅଫତାବ ବହୁ ପୂର୍ବରୁ ଯୋଜନା କରିଥିଲା । ୱେବ୍ ସିରିଜ୍ ଏବଂ କ୍ରାଇମ ସୋ ତଥା ଇଣ୍ଟରନେଟରୁ ଜାଣିବାକୁ ଚେଷ୍ଟା କରିଥିଲା ଯେ ହତ୍ୟାକାଣ୍ଡ ପରେ ପୋଲିସ ନିକଟରୁ କେମିତି ବର୍ତ୍ତିପାରିବ । କିନ୍ତୁ ଅପରାଧ ଘଟାଇବା ବେଳେ ପୋଲିସ ଠାରୁ ଖସିଯିବା ଅସମ୍ଭବ ବୋଲି ଆଫାତାବ କେବେ ଭାବି ନଥିଲା ।
ହତ୍ୟା ପୂର୍ବରୁ ଇଣ୍ଟରନେଟରେ ସାହାଯ୍ୟ ନେଇଥିଲା ଅଫତାବ
ଶ୍ରଦ୍ଧାଙ୍କୁ ହତ୍ୟା କରିବା ଅଫତାବର ଏକ ଯୋଜନା ଥିଲା । ଏଥି ପାଇଁ ହତ୍ୟାପରେ କିଭଳି ଏହି ଘଟଣା କାହା ସାମ୍ନାକୁ ଆସିବ ନାହିଁ ସେନେଇ ଇଣ୍ଟରନେଟର ସାହାଯ୍ୟ ନେଇଥିଲା । ହତ୍ୟା ପରେ ମୃତ ଶରୀରର ଖଣ୍ଡ ଖଣ୍ଡ ଅଙ୍ଗ ଗୁଡିକୁ ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ କିପରି ସଂରକ୍ଷିତ କରିହେବ ସେନେଇ ଇଣ୍ଟରନେଟରେ ସମସ୍ତ ତଥ୍ୟ ଖୋଜିଲା । ପୋଲିସ ଅଭିଯୁକ୍ତର ମୋବାଇଲ, କମ୍ପ୍ୟୁଟର ଇତ୍ୟାଦି ଜବତ କରି ଫୋରେନସିକ୍ ପରୀକ୍ଷା ପାଇଁ ପଠାଇଛି । ଡିଜିଟାଲ ପ୍ରମାଣକୁ ଆଧାର କରି କରି ମାମଲାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରାଯାଉଥିବା ପୋଲିସ କହିଛି ।