ସମ୍ବଲପୁର: ଉତ୍ତରାଞ୍ଚଳ ଆରଡିସି (RDC)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ୟୁଥ ଫର ଆକ୍ସନ ସଂଗଠନ (Youth For Action Organization) । ନିଯୁକ୍ତି ପ୍ରସଙ୍ଗକୁ ନେଇ ଅଫିସ ଘେରିଛି ସଂଗଠନ । ରାଜ୍ୟ ସରକାର ଏମଓୟୁ ଭିତ୍ତିରେ ଚାକିରୀ ଦେଉନଥିବା ଶିଳ୍ପ ଅନୁଷ୍ଠାନ ଗୁଡିକ ପ୍ରତି କୋହଳ ମନୋବୃତ୍ତି ରଖୁଥିବା ଅଭିଯୋଗ କରି ଆଜି ୟୁଥ ଫର ଆକ୍ସନ ସଂଗଠନ ପକ୍ଷରୁ ସମ୍ବଲପୁରରେ ଏକ ଶୋଭାଯାତ୍ରା କରାଯିବା ସହ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପ୍ରସଙ୍ଗ, ଆରଡିସି ଅଫିସ ଘେରିଲା ଯୁବ ସଂଗଠନ ତେବେ ପଶ୍ଚିମ ଓଡ଼ିଶାରେ ଗଢି ଉଠିଥିବା ଶିଳ୍ପ ଅନୁଷ୍ଠାନ ଗୁଡ଼ିକରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ MOU ଅନୁସାରେ ମିଳୁନାହିଁ ନିଯୁକ୍ତି । ଯାହା ଫଳରେ ବେକାରୀ ସମସ୍ୟା ବଢୁଛି ଓ ଲୋକେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ୟୁଥ ଫର ଆକ୍ସନ ସଙ୍ଗଠନର ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ସଦସ୍ୟମାନଙ୍କୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆଜି ସମ୍ବଲପୁର ଜିଲ୍ଲା ସ୍କୁଲ ଛକରୁ ୟୁଥ ଫର ଆକ୍ସନର ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ ବାହାରି ପୋଷ୍ଟର ଓ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହା ବି ପଢନ୍ତୁ- ଆଜି ଆରଡିସି ଅଫିସ ଘେରିବ ୟୁଥ୍ ଫର ଆକ୍ସନ ସଂଗଠନ
ୟୁଥ ଫର ଆକ୍ସନ ଅଭିଯୋଗ କରିଛି ଯେ, ପଶ୍ଚିମ ଓଡ଼ିଶାରେ ଗଢି ଉଠିଥିବା ଶିଳ୍ପ ଅନୁଷ୍ଠାନ ଗୁଡ଼ିକରେ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମା ଅନୁସାରେ ଚାକିରୀ ଦିଆଯାଉନାହିଁ । ଫଳରେ ସ୍ଥାନୀୟ ଯୁବକ ଯୁବତୀ ଚାକିରୀ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ଅନ୍ୟପଟେ ଚୁକ୍ତି ଖିଲାପି କରୁଥିବା ଶିଳ୍ପ ଅନୁଷ୍ଠାନ ମାନଙ୍କ ପ୍ରତି ରାଜ୍ୟ ସରକାର କୋହଳ ମନୋବୃତ୍ତି ପୋଷଣ କରିବା ସହ ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ।
ତେଣୁ ସ୍ଥାନୀୟ ଶିଳ୍ପ ଅନୁଷ୍ଠାନ ଗୁଡ଼ିକରେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଏକ ଆଇନ ପ୍ରଣୟନ କରାଯାଉ ବୋଲି ୟୁଥ ଫର ଆକ୍ସନ ଦାବି କରିଛି । ଏନେଇ ଆଜି ୟୁଥ ଫର ଆକ୍ସନ ସଂଗଠନ ପକ୍ଷରୁ ଉତ୍ତରାଞ୍ଚଳ ଆରଡିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ସଂଗଠନ । ନଚେତ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।
ଇଟିଭି ଭାରତ, ସମ୍ବଲପୁର