ସମ୍ବଲପୁର:ରାଜରାସ୍ତା ପାଲଟିଲାଣି ଗାଈ ଗୁହାଳ । ଯୁଆଡ଼େ ଦେଖିଲେ ଚାରିଆଡ଼େ ଏଣେତେଣେ ବୁଲୁଛନ୍ତି ମାଳମାଳ ଗାଈ । ବୁଲା ଗାଈଗୋରୁଙ୍କ କବଜାରେ ରହିଛି ସହରର ଛକବଜାର । ସମ୍ବଲପୁର ସହରରେ ଏହା ଏକ ପ୍ରମୁଖ ସମସ୍ୟା ପାଲଟିଛି । ସମ୍ବଲପୁର ଜିଲ୍ଲାର ଗଳିକନ୍ଦିରେ କବଜା କରିଛନ୍ତି ଗାଈଗୋରୁ । ସହରର ପ୍ରମୁଖ ତଥା ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଦୈନିକ ହଜାର ହଜାର ଲୋକ ଯାତାୟତ କରନ୍ତି । ବହୁ ସଂଖ୍ୟାରେ ଗାଡ଼ି ମଧ୍ୟ ଚଳାଚଳ ହୁଏ । କିନ୍ତୁ ରାସ୍ତା ଉପରେ ଗାଈଗୋରୁ ବୁଲିବା ସହିତ ରାସ୍ତା ଜାମ କରିବା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ହୋଇଥାଏ । ଏହା ସହ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି । ଏପରିକି ଅନ୍ଧାର ରାତିରେ ଦୁର୍ଘଟଣାର ଶିକାର ହୋଇ ଗାଈଗୋରୁ ମଧ୍ୟ ପ୍ରାଣ ହରାଇଥାନ୍ତି ।
ଅସହାୟ ଗାଈମାନେ ଖାଦ୍ୟ ଅଭାବରୁ ପ୍ଲାଷ୍ଟିକ ଜରି (ପଲିଥିନ୍) ଆଦି ଖାଇ ମୃତ୍ୟୁମୁଖରେ ପଡୁଛନ୍ତି । ଅଧିକାଂଶ ଗାଈ ଗୋରୁଙ୍କ ପେଟରେ ପ୍ଲାଷ୍ଟିକ ଜମିଥିବା ଦେଖିବାକୁ ମିଳିଛି । ସହରରେ ଗୋଟିଏ ମଧ୍ୟ କାଞ୍ଜିଆ ଘର ନଥିବାରୁ ଏହି ସମସ୍ୟା ଉପୁଜୁଥିବା କୁହାଯାଇଛି । ସବୁଠାରୁ ବଡ଼ କଥା ହେଲା ଗାଈଗୋରୁଙ୍କୁ ଅତି ସହଜରେ ବେଆଇନ ଭାବେ ଚୋରା ଚାଲାଣ ଏବଂ ଗୋହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତି ଗାଈ ଗୋରୁଙ୍କ ହତ୍ୟା ଯୋଗୁଁ ସାମ୍ପ୍ରଦାୟିକ ସଦଭାବ ବିଗୁଡୁଥିବା ହନୁମାନ ଜୟନ୍ତୀ ସମନ୍ମୟ ସମିତି ଅଭିଯୋଗ କରିଛି ।