ସମ୍ବଲପୁର: ସଫ୍ଟୱୋୟାର ଇଞ୍ଜିନିୟରରୁ ମାଛ ଚାଷୀ । ବାଙ୍ଗାଲୋରର ସଫ୍ଟୱେୟାର କମ୍ପାନୀ ଚାକିରି ଛାଡି ସମ୍ବଲପୁରରେ ମାଛ ଚାଷ କରିଛନ୍ତି ସୌରଭ ସାମନ୍ତରାୟ । ଆଜିର ଯୁବପୀଢି ଚାକିରି ପଛରେ ଦୌଡୁଥିବାବେଳେ ସେ ଅତ୍ୟାଧୁନିକ ବାୟୋଫ୍ଲକ୍ ଟେକ୍ନୋଲୋଜିରେ ମାଛ ଚାଷ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ।
ବାଙ୍ଗାଲୋରରେ 7 ବର୍ଷ ଚାକିରୀ କରିବା ପରେ ସୌରଭ ସମ୍ବଲପୁର ଫେରି ଅତ୍ୟାଧୁନିକ ବାୟୋଫ୍ଲକ ଟେକ୍ନୋଲୋଜିରେ ମାଛ ଚାଷ କରିଛନ୍ତି । ବୁର୍ଲା ଅଠର ହଜାର ଅଞ୍ଚଳରେ ଥିବା ନିଜ ଜମିରେ ପାଖାପାଖି 4 ଲକ୍ଷ ଟଙ୍କାରେ 6 ଟି ଟାଙ୍କି କରି ସେ ଏହି ମାଛ ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଇଣ୍ଡୋନେସିଆ ଯାଇ 5 ଦିନିଆ ଟ୍ରେନିଂ ନେଇଥିବା ଜଣାପଡିଛି ।
ବାଙ୍ଗାଲୋରରେ ଚାକିରି କରୁଥିବା ସମୟରେ ସେ ଆନ୍ଧ୍ରପ୍ରଦେଶର ନିଜ ସାଙ୍ଗ ଘରକୁ ବୁଲିବାକୁ ଯାଇଥିବାବେଳେ ସେଠାରେ ହେଉଥିବା ମାଛ ଚାଷ ଦେଖି ନିଜେ ଚାଷ କରିବେ ବୋଲି ଭାବିନେଇଥିଲେ । ପରେ ସେ ଗାଁକୁ ଫେରି ପୋଖରୀରେ ମାଛ ଚାଷ କରୁଥିଲେ । ହେଲେ ପୋଖରୀରେ ଏକକାଳୀନ ବିଭିନ୍ନ ପ୍ରକାର ମାଛ ଚାଷ କରି ନ ହେବାରୁ ସେ ଏହି ବାୟୋଫ୍ଲକ ପଦ୍ଧତି ଆଡକୁ ମୁହାଁଇଥିଲେ ।