ସମ୍ବଲପୁର: ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଅନେକ ଜିଲ୍ଲା ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଏବେ ବି ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ଅନେକ ସମସ୍ୟା ଉପୁଜିଛି । ଜିଲ୍ଲାର ମାନେଶ୍ବର ବ୍ଲକ ଡାକରା ପଞ୍ଚାୟତ ଜାଦୁଲୁଇସିଙ୍ଗ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ପ୍ରାୟ ୧ କିମି ଟ୍ରାକ୍ଟରରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଯାଇଛନ୍ତି ଗୁରୁତର ରୋଗୀ ।
ସମ୍ବଲପୁର ଜାଦୁଲୁଇସିଙ୍ଗ ଗ୍ରାମର ରାସିଖାଇକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ହୋଇ ପାରିନାହିଁ । ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । ତେଣୁ ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ପାଖାପାଖି ୧ କିମି ପର୍ଯ୍ୟନ୍ତ ବୋହିକି ଆଣନ୍ତି ଗ୍ରାମବାସୀ । ଆଜି ମଧ୍ୟ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ରାସିଖାଇ ଗ୍ରାମର ନିରାବତୀ ବେହେରା ହଠାତ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବାକୁ ବାହାରିଲେ । ଏଥିପାଇଁ ଆମ୍ବୁଲାନ୍ସକୁ ଫୋନ ମଧ୍ୟ କରିଥିଲେ ପରିବାର ଲୋକେ । ତେବେ ଗ୍ରାମ ଠାରୁ ୧ କିମି ପର୍ଯ୍ୟନ୍ତ ରାସ୍ତା ନଥିବାରୁ କାଦୁଅରେ ଆମ୍ବୁଲାନ୍ସ ଆସି ପାରିଲାନାହିଁ ।