ସମ୍ବଲପୁର:ହୀରାକୁଦ ଡ୍ୟାମରେ ବର୍ତ୍ତମାନ ପରିବର୍ତିତ ପରିସ୍ଥିତିରେ ପୁରୁଣା ଗାଇଡ଼ ଲାଇନ ଅନୁସାରେ ବନ୍ୟା ପରିଚାଳନାରେ କେତେଟା ସମସ୍ୟା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କିଛି ବର୍ଷ ତଳେ ହୀରାକୁଦ ଡ୍ୟାମରେ ଏକ ଅତିରିକ୍ତ ସ୍ପିଲ ୱେ ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଜନ ଶୁଣାଣି କରାଯାଇ ଏହି ପ୍ରକଳ୍ପରେ ବିସ୍ଥାପିତ ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନର ପ୍ରତିଶ୍ରୁତି ଦିଆଯାଇ କାର୍ଯ୍ୟ ଆରମ୍ଭ ହେଲା ।
ତେବେ କେତେକ ବିସ୍ଥାପିତ ପରିବାରକୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । ଅତିରିକ୍ତ ସ୍ପିଲ ୱେ ତିଆରି ପୂର୍ବରୁ ଯେଉଁ ଜନ ଶୁଣାଣି ହୋଇଥିଲା ସେଥିରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇପାରିନି ବୋଲି କହିଛନ୍ତି ସ୍ଥାନୀୟ ବିସ୍ଥାପିତ ଦିଲୀପ କୁମାର ସିଂ । ସ୍ଥାନୀୟ ଅଞ୍ଚଳର 80ଟି ବିସ୍ଥାପିତ ପରିବାର କ୍ଷତିପୂରଣରୁ ବଞ୍ଚିତ ଥିବାର ଅଭିଯୋଗ ହୋଇଛି । ଏହାସହ ବିସ୍ଥାପିତଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବାର ପ୍ରତିଶ୍ରୁତି ମଧ୍ୟ ପୂର୍ଣ୍ଣ ହୋଇନଥିବା କହିଛନ୍ତି ବିସ୍ଥାପିତ।