ସମ୍ବଲପୁର :ପଶ୍ଚିମ ଓଡ଼ିଶାର 11ଟି ଜିଲ୍ଲାରେ କୋଶଳ ରାଜ୍ୟ ଦାବି ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରି ପ୍ରଦର୍ଶନ କରୁଛନ୍ତି କର୍ମୀ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ନେଇ ଆଜି କୋଶଳ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ହେଲେ ସମ୍ବଲପୁରରୁ ଏହାକୁ ସମର୍ଥନ ମିଳିନାହିଁ ।
ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ବନ୍ଦ ଡାକରା ବିରୋଧ କରାଯାଇଛି । ଏହି ବନ୍ଦର ବିରୋଧ କରିଛନ୍ତି ସମ୍ବଲପୁରର 60ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ସଙ୍ଗଠନ । ହାତରେ ବ୍ୟାନର ଧରି ସହରର ପ୍ରମୂଖ ଛକରେ ବନ୍ଦ ବିପକ୍ଷରେ ସ୍ଲୋଗାନ ଦେଇଥିଲେ । ବନ୍ଦକୁ ସମ୍ବଲପୁରରେ ବିରୋଧ କରାଯିବା ସହ ସବୁକିଛି ଖୋଲା ରଖିବାକୁ ଲୋକଙ୍କୁ ସଚେତନ କରିଥିଲେ । ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା କହିଛନ୍ତି, "ଆମେ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବୀକୁ ବିରୋଧ କରୁନାହୁଁ । ତେବେ କୋଶଳୀ ନାଁରେ ସମ୍ବଲପୁରୀ ଭାଷା, ସଂସ୍କୃତିକୁ ବିକୃତି କରଣ କରାଯାଉଛି । କୋଶଳ ନାଁକୁ ଆମେ ବିରୋଧ କରୁଛୁ । ଆମେ ଦାବୀ କରୁଛୁ ହୀରାଖଣ୍ଡ ରାଜ୍ୟ ହେଉ ।" ଏହାଫଳରେ ଆଜି ସମ୍ବଲପୁରରେ ବନ୍ଦର ପ୍ରଭାବ ଶୂନ୍ୟ ରହିଛି । ସୂଚନାନୁସାରେ ସମ୍ବଲପୁରୀ ଭାଷା ସଂସ୍କୃତିର କୋଶଳୀକରଣ କରାଯାଇଥିବା ଅଭିଯୋଗ କରି ଆଜି ଏହି ବନ୍ଦକୁ ବିରୋଧ କରାଯାଇଛି । ଏନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି । ଆମ ରାଜ୍ୟ ହୀରାଖଣ୍ଡ ଓ ଭାଷା ସମ୍ବଲପୁରୀ ବୋଲି ପୋଷ୍ଟରରେ ଲେଖା ରହିଛି ।