ସମ୍ବଲପୁର: ପୁଣି ସାମ୍ନାକୁ ଆସିଲା ଭୋକର କରୁଣ ଚିତ୍ର । ଭୋକ ଯେବେ ଅସହ୍ୟ ହୁଏ ଭଲମନ୍ଦ ଜାଣିପାରେନି ମଣିଷ । ପେଟର ଜ୍ବାଳାକୁ ସହି ନପାରି ଡଷ୍ଟବିନରୁ ପଚାସଢା ଖାଦ୍ୟ ଖାଉଛନ୍ତି ଜଣେ ବ୍ୟକ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳ ବୁଢ଼ାରଜାରେ । କୁଢ କୁଢ ଅଳିଆ ଆବର୍ଜନା ମଧ୍ୟରେ ଯୁବକ ଜଣଙ୍କ ପଚାସଢା ଖାଦ୍ୟ ବାହାର କରି ଖାଉଥିବା ଦେଖିବାକୁ ମିଳିଛି ।
ଭୋକର ବିକଳ ଚିତ୍ର, ଡଷ୍ଟବିନ ଖାଦ୍ୟ ଖାଇଲେ ଯୁବକ କୁଢକୁଢ ଅଳିଆରେ ଭର୍ତ୍ତି ଡଷ୍ଟବିନ । ଦୁର୍ଗନ୍ଧରେ ନାକ ଫାଟିଯାଇଛି । ସେଇଠି ଗାଈଗୋରୁ ବି ନିଜ ଖାଦ୍ୟ ସନ୍ଧାନରେ ଅଛନ୍ତି । ଆଉ ସେହି ସ୍ଥାନରେ ପେଟର ଜ୍ବାଳା ସହି ନପାରି ଯୁବକଜଣଙ୍କ ନିଜ ଭୋକ ମେଣ୍ଟାଇଛନ୍ତି । ଡଷ୍ଟବିନ ଭିତରେ ହାତ ପୂରାଇ ଖାଦ୍ୟ ଖୋଜିବା ସହ ଯାହା ପାରୁଛନ୍ତି ତାହା ଖାଉଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ସରକାରୀ ଯୋଜନା ଓ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ଦିନ ହେବ ଯୁବକ ଜଣଙ୍କ ବୁଢ଼ାରଜା ଅଞ୍ଚଳରେ ବୁଲାବୁଲି କରୁଛନ୍ତି । ତାଙ୍କୁ କିଏ ଦୁଇମୁଠା ଖାଇବାକୁ ଦେଲେ ସେ ଖାଆନ୍ତି ସେହି ରାସ୍ତା କଡରେ ହିଁ ଶୋଇପଡନ୍ତି । ହଠାତ ଯୁବକ ଜଣଙ୍କ ହଠାତ ରାସ୍ତାକଡ ଏକ ଡଷ୍ଟବିନରୁ ଖାଦ୍ୟ ଖୋଜି ଖାଉଥିବା ଦେଖିବାକୁ ମିଳିଥିଲା । ଡଷ୍ଟବିନରୁ ମଇଳା ଓ ଆବର୍ଜନାମୟ ଖାଦ୍ୟ ବାହାର କରୁଛନ୍ତି ଓ ତାକୁ ଗୋଟିଏ ପେପର ପ୍ଲେଟରେ ସଂଗ୍ରହ କରି ପଲିଥିନରେ ପୁରାଉଛନ୍ତି । ତା ପରେ ପାଖରେ ଯାଇଥିବା ରାସ୍ତା କଡର ମଇଳା ପାଣିରେ ଧୋଇ ଆଣି ତାକୁ ଖାଉଥିବା ମିଳିଛି । ବ୍ୟକ୍ତି କିଏ ଓ ସେ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି ନାଁ ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଆଜିବି ଲୋକେ ସେ ସବୁରୁ ବଞ୍ଚିତ । ଏପରିକି ଖାଦ୍ୟ ନପାଇ ଆବର୍ଜନାରୁ ଖାଦ୍ୟ ଖୋଜିବା ନିହାତି ସରକାରଙ୍କ ବିଭିନ୍ନ ଯୋଜନାକୁ ପରିହାସ କରୁଛି ।
ଇଟିଭି ଭାରତ, ସମ୍ବଲପୁର