ସମ୍ବଲପୁର: ଚଳିତ ହନୁମାନ ଜୟନ୍ତୀର ଅସ୍ତ୍ର ପ୍ରଦର୍ଶନ ଶୋଭାଯାତ୍ରାରେ ବୁଲିବନି ଖଣ୍ଡା । ଏହା ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକ ବର୍ଷ ସମ୍ବଲପୁର ହନୁମାନ ଜୟନ୍ତୀ ପାଳନ ସମୟରେ ଖଣ୍ଡା ବୁଲାଇବାକୁ ନେଇ ବିବାଦ ସୃଷ୍ଟି ହେବାର ନଜିର ରହିଛି । ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ଖଣ୍ଡା ପ୍ରଦର୍ଶନ ସହ ଅଗ୍ନି ଅସ୍ତ୍ର ପ୍ରଦର୍ଶନ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ଏହା ସହ ଖଣ୍ଡା ବୁଲାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।
ବିଗତ ବର୍ଷ ଗୁଡ଼ିକରେ ହନୁମାନ ଜୟନ୍ତୀ ସମୟରେ ପରମ୍ପରା ନାଁ ରେ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର ଖଣ୍ଡା ବୁଲାଇ ଅନେକ ଥର ଗିରଫ ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ହୋଇଛି । ମୁଖ୍ୟତଃ ପ୍ରତ୍ୟେକ ବର୍ଷ ହନୁମାନ ଜୟନ୍ତୀ ସମୟରେ ବିଭିନ୍ନ ଆଖଡା ଦଳ ଗୁଡିକ ପକ୍ଷରୁ ଆଖଡା ଖେଳ ପ୍ରଦର୍ଶନ ସମୟରେ ଖଣ୍ଡା , ଅଗ୍ନିଅସ୍ତ୍ର ତଥା ବିଭନ୍ନ ପ୍ରକାର ରଣକୌଶଳ ପ୍ରଦର୍ଶନର ପରମ୍ପରା ରହିଛି। ତେବେ 2014 ମସିହା ପରେ ପରେ ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଏହା ଉପରେ ଜିଲ୍ଲା ପ୍ରଶାସନର ରୋକ ଲଗାଯାଇଥିଲେ ମଧ୍ୟ କେହି ନା କେହି ଖଣ୍ଡା ବୁଲାଇ ଗିରଫ ହେବାର ନଜିର ରହିଛି।