ସମ୍ବଲପୁର: ମରାମତି ହେଉଛି ଆସାମର ପ୍ରସିଦ୍ଧ ଅହମିଆଁ କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁର ସ୍ଥିତି ବାସଗୃହ । ଇନଟାକ ପକ୍ଷରୁ ଏହି ମରାମତି କର୍ଯ୍ୟ ଜାରି ରହିଛି। ଲାଇମ ପ୍ଲାଷ୍ଟର ପଦ୍ଧତିରେ ବାସଗୃହର ମରାମତି କାମ କରାଯାଉଛି ।
ଝଲସିବ ଅହମିଆଁ କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ବାସଭବନ, ଚାଲିଛି ମରାମତି ପୁଣି ଝଲସି ଉଠିବ ଅହମିଆଁ କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁର ସ୍ଥିତ ବାସଗୃହ। ସମ୍ବଲପୁର କଚେରୀ ଛକ ଠାରେ ଥିବା ଏହି ବାସଗୃହଟି ବହୁ ଦିନରୁ ଜରାଜୀର୍ଣ୍ଣ ହୋଇ ପଡିଥିଲା। ତେବେ ଆସାମ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଏହାର ପୁନରୁଦ୍ଧାର କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି।
ଇନଟାକ ଓଡିଶା ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ଲାଇମ ପ୍ଲାଷ୍ଟର ପଦ୍ଧତିରେ ଏହାର ମରାମତି ଜାରି ରହିଛି। ଏହି ମରାମତି କାର୍ଯ୍ୟରେ ସିମେଣ୍ଟର ବ୍ୟବହାର କରାଯାଉନାହିଁ। ଚୂନ, ଗୁଡ, ମେଥି, ହରିଡା, କେନ୍ଦୁ ଓ ବହାଡାର ମିଶ୍ରିତରେ ଏହାର ମରାମତି ଚାଲିଛି ବୋଲି ଇଣ୍ଟାକ ଇଞ୍ଜିନିୟର ଅନୀଲ କୁମାର ତରେଇ ସୂଚନା ଦେଇଛନ୍ତି।
ଆସନ୍ତା 2 ମାସ ମଧ୍ୟରେ ଏହାର ମରାମତି କାର୍ଯ୍ୟ ସରିଯିବ ବୋଲି ସୂଚନା ଦିଆଯାଇଛି। ସୂଚନାଥାଉକି, 2 ବର୍ଷ ପୂର୍ବରୁ ଆସାମ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସି ଏହି ଐତିହାସିକ ବାସଗୃହର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ।
ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ