ସମ୍ବଲପୁର: ଦୁଲୁକୁଛି ସମ୍ବଲପୁର, ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଧୁମଧାମରେ ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପରମ୍ପରା ମୁତାବକ ନନ୍ଦପଡ଼ାରେ ବମ ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପତରପଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପାରମ୍ପରିକ ବାଜା ସହ ଆକର୍ଷଣୀୟ ଶୋଭଯାତ୍ରାରେ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିଲା ।
ପୂଜାର୍ଚ୍ଚନା ପରେ ଗତକାଲି ରାତି ୮ଟା ସମୟରେ କନ୍ୟା ଅନ୍ବେଷଣରେ ବର ପିତା ଓ ସପ୍ତଋଷି ବାହାରି ଥିଲେ । ପାରମ୍ପାରିକ ବାଜା,ଶଙ୍ଖ, ଘଣ୍ଟର ତାଳେ ତାଳେ ବାହାରିଥିଲା ବାଲୁଙ୍କେଶ୍ବର ବାବାଙ୍କ କନ୍ୟା ଅନ୍ବେଷଣର ଶୋଭାଯାତ୍ରା । ଏହା ପରେ ବରପିତା କନ୍ୟାଙ୍କ ପିତାମାତା ହୋଇଥିବା ଗିରିଷ ପଟେଲ ଓ ହଂସା ପଟେଲଙ୍କ ଘରକୁ ପହଞ୍ଚିଥିଲେ । କନ୍ୟାଘର ପକ୍ଷରୁ ବରପକ୍ଷଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇ ଘରକୁ ପାଛୋଟି ନିଆଯାଇଥିଲା । ବରପକ୍ଷ ପକ୍ଷରୁ ଆସିଥିବା ସପ୍ତଋଷି ନିଜର ଆଗମନର ଅଭିପ୍ରାୟ ବିଷୟରେ କନ୍ୟା ପକ୍ଷଙ୍କୁ ଅବଗତ କରାଇ ଭଗବାନ ଶିବଙ୍କ ପାଇଁ କନ୍ୟା ଅନ୍ବେଷଣରେ ଆସିଥିବା କହି ମାତା ପାର୍ବତୀଙ୍କ ହାତ ମାଗିଥିଲେ ।