ସମ୍ବଲପୁର:ଠିକ ସମୟରେ ହେଉନାହିଁ ବର୍ଷା । ଆବଶ୍ୟକତା ନଥିବା ସମୟରେ ଲଗାତାର ବର୍ଷିଲା ଆଉ ଏବେ ଆବଶ୍ୟକତା ଥିବା ସମୟରେ ବର୍ଷା ନାହିଁ, ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅବିଭକ୍ତ ସମ୍ବଲପୁରର ଚାଷୀଙ୍କୁ ମରୁଡି ଚିନ୍ତା ଘାରୁଛି। ଅନ୍ୟପଟେ ଚାଷୀଙ୍କ ଅନ୍ୟ ସମସ୍ୟାର ସମାଧାନ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ବର୍ତ୍ତମାନ ଚାଷୀର ସମସ୍ୟା ବଢ଼େଇଦେଇଛି। ଗୁରୁବାର ସମ୍ବଲପୁରରେ ପଶ୍ଚିମ ଓଡି଼ଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛି।
ହେଉନାହିଁ ବର୍ଷା, ମରୁଡ଼ି ଆଶଙ୍କାରେ ଚାଷୀ ଚାଷୀଙ୍କୁ ଘାରୁଛି ମରୁଡି ଚିନ୍ତା। ଏବେ ସମ୍ବଲପୁର ଜିଲ୍ଲାର ଅଣ ଜଳସେଚିତ ଅଞ୍ଚଳର ଚାଷୀ ଏମିତି ଏକ ସମ୍ଭାବ୍ୟ ମରୁଡି ଚିନ୍ତାରେ ଜୀବନ କାଟୁଛି । କାରଣ ଯେତେବେଳେ ଶୁଖା ଧାନବୁଣାର ସମୟ ଥିଲା ସେତେବେଳେ ଲଗାତାର ଏତେ ବର୍ଷା ହେଲା ଯେ ଅଧିକାଂଶ ଜମିରେ ଚାଷୀ ଧାନ ବୁଣି ପାରିଲେ ନାହିଁ । ଆଉ ବର୍ତ୍ତମାନ ରୋଇବାକୁ ଚାଷଜମିରେ ପାଣିର ଆବଶ୍ୟକତା ଥିବା ବେଳେ ଏକଦମ ବର୍ଷା ନାହିଁ, ଫଳରେ ଅଧିକାଂଶ ଜମିରେ ଚାଷୀ ରୁଆ କାର୍ଯ୍ୟ କରି ପାରୁନି ।
ଏହି କାରଣରୁ ଏଥର ମରୁଡି ହେବାର ସମ୍ଭାବନା ଅଧିକ ବୋଲି ପଶ୍ଚିମ ଓଡି଼ଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଅଭିଯୋଗ କରିଛି। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ଚାଷୀ କହିଛନ୍ତି । ଅନ୍ୟପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷିନୀତି କୁ ତ୍ରୁଟିପୂର୍ଣ୍ଣ କହି ଟାର୍ଗେଟ କରିଛନ୍ତି ଚାଷୀ। ରାଜ୍ୟ ସରକାର ଧାନ କ୍ରୟ ନୀତିରେ ଥିବା ଟୋକନ ବ୍ୟବସ୍ଥା, ମଣ୍ଡି ବ୍ୟବସ୍ଥା, ମିଲରଙ୍କ କାର୍ଯ୍ୟକଳାପ ଓ DLPC ମିଟିଂ ବଦଳରେ ଭୁବନେଶ୍ବରରେ ଧାନ କ୍ରୟ ନୀତି ସ୍ଥିର କରିବାକୁ ଚାଷୀ ବିରୋଧ କରିଛନ୍ତି। ଏହା ସହ ଏଫସିଆଇ ଓଡି଼ଶାରୁ ଧାନ କିଣୁ ନଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ ରହି ଚାଷୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଏଭଳି ସ୍ଥିତି ରେ କେନ୍ଦ୍ର ସରକାରଙ୍କ 3 ନୁଆଁ କୃଷି ଆଇନକୁ ପ୍ରତ୍ୟାହାର, ସ୍ବାମୀନାଥନ କମିଶନକୁ କାର୍ଯ୍ୟକାରୀ କରିବା ତଥା ଏମଏସ କୁ ଆଇନଗତ ମାନ୍ୟତା ଦାବି କରିଛନ୍ତି ପଶ୍ଚିମ ଓଡି଼ଶା କୃଷକ ସଙ୍ଗଠନ ସମନ୍ବୟ ସମିତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ