ସମ୍ବଲପୁର:ଆଜି ହେଉଛି ପବିତ୍ର ମହାଳୟା । ଏହି ପବିତ୍ର ତିଥିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ଧବଳମୁଖୀ ବା ଗଙ୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ବର୍ଷ ତମାମ ମା' ସମଲେଶ୍ୱରୀ ସିନ୍ଦୁରମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜିର ତିଥିରେ ମା' ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମା’ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥା ହୋଇଥାଏ। ଆଜିର ଦିନରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ଗଙ୍ଗା ସ୍ନାନର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥାଏ । ଏଥିପାଇଁ ଆଜି ମନ୍ଦିରରେ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି ।
ଆଜି ସକାଳ 5 ଟାରେ ମା'ଙ୍କ ମଙ୍ଗଳ ଆଳତୀ ପରେ 5 ଟା 45 ମିନିଟରେ ମନ୍ଦିର ଦ୍ଵାରା ଖୋଲିଥିଲା । ଆଜିର ଦିନରେ ଶ୍ରାଦ୍ଧ କରି ଗଙ୍ଗା ଯାଇ ନପାରିଲେ ମା'ଙ୍କ ଧବଳମୁଖୀ ବେଶର ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ତଥା ପିତୃ ପୁରୁଷଙ୍କୁ ଶାନ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ତେଣୁ ମା'ଙ୍କ ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଇଥାଏ । ଆଜିଠୁ ମା’ ସମଲେଶ୍ୱରୀ ଅଢେଇ ଦିନ ଧରି ଏହି ବେଶରେ ଦର୍ଶନ ଦେବେ । ତେଣୁ ଆଜି ମା’ଙ୍କ ମନ୍ଦିରରେ ସକାଳ 6 ଟାରୁ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଏହାସହ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯାଇଛି ।