ସମ୍ବଲପୁର: ଜିଲ୍ଲାର ହୁମା ରାଜ୍ୟ ତଥା ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଛି। ପ୍ରତ୍ୟେକ ବର୍ଷ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ଏହି ସ୍ଥାନରେ ବିମଳେଶ୍ଵର ବାବାଙ୍କ ବକ୍ର ମନ୍ଦିର ଲୋକଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ସ୍ଥାନ ଦେଇ ବହି ଯାଇଥିବା ମହାନଦୀରେ ଦେଖିବାକୁ ମିଳୁଥିବା କୁଢ଼ୋ ମାଛ ମଧ୍ୟ ଏହି ସ୍ଥାନରେ ଅନ୍ୟତମ ଆକର୍ଷଣର କେନ୍ଦ୍ର।
ଏହି ମାଛଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମି ଥାଏ। ତେବେ ବର୍ତ୍ତମାନ ଏହି ମାଛମାନଙ୍କର ଅସ୍ଥିତ୍ବ ଲୋପ ପାଇବା ଉପରେ। କାରଣ ବିଭିନ୍ନ ସମୟରେ ଦୁର୍ବୃତ୍ତ ମାନେ ଏହି ଅଞ୍ଚଳର ମହାନଦୀ ପାଣିରେ ବେଆଇନ ଭାବେ ବିସ୍ପୋରଣ କରି ରାତାରାତି ଶହ ଶହ ମାଛକୁ ମାରିଦେଉଛନ୍ତି। ଗତ 3 ବର୍ଷ ହେଲା ଏହିପରି ଭାବେ ମାଛ ମରା ଯାଉଥିବା ବେଳେ ସ୍ଥାନୀୟ ଲୋକ ଏମାନଙ୍କ ସୁରକ୍ଷା ନେଇ ଦାବି କରି ଆସୁଛନ୍ତି। ତେବେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମାଛଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବା ପରେ ଏହି ପ୍ରସଙ୍ଗଙ୍କୁ ସ୍ଥାନୀୟ ଲୋକ ପୁଣି ଉଜ୍ଜୀବିତ କରି ଜିଲ୍ଲା ପ୍ରଶାସନକୁ ମାଛଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି।