ସମ୍ବଲପୁର: ଭିତ୍ତିଚିତ୍ର ଶିବିର ଓ ମୋରାଲ ପେଣ୍ଟିଂରେ ସଜେଇ ହେଲା ପୁରା ଗାଁ । ସମ୍ପୂର୍ଣ୍ଣ ଭାବେ ଗୋଟିଏ ଗାଁକୁ ସମ୍ବଲପୁରୀ ଶାଢିର ଡିଜାଇନରେ ସଜାଇଲେ ଚିତ୍ରକର ଓ ବୁଣାକାର । ଓଡିଶା ଲଳିତ କଳା ଏକାଡେମୀ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଭିତ୍ତିଚିତ୍ର ଶିବିର ଆୟୋଜିତ ହୋଇଛି । ପର୍ଯ୍ୟଟନର ବିକାଶ ସାଙ୍ଗକୁ ସମ୍ବଲପୁରୀ କପଡାକୁ ବିଶ୍ୱ ଦରବାରରେ ଆହୁରି ପରିଚିତ କରାଇବା ପାଇଁ ଶିବିର ଆୟୋଜିତ ହୋଇଛି । ଏହାସହ ବ୍ୟବସାୟ ଭିତ୍ତିକ କରିବା ସାଙ୍ଗକୁ ବୁଣାକାରଙ୍କୁ ଉତ୍ସାହିତ କରିବାର ପ୍ରୟାସ କରାଯାଇଛି। ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକର କର୍ଡୋଲା ଗାଁରେ ଏ ଶିବିର ଆୟୋଜିତ ହୋଇଛି ।
ଗାଁରେ ୪୫ଟି ବୁଣାକାର ପରିବାର ରହୁଥିବାବେଳେ ସେମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ବଲପୁରୀ ଶାଢୀର ପ୍ରଚାର ପ୍ରସାର କରିବା ପାଇଁ ଓଡିଶା ଲଳିତ କଳା ଏକାଡେମୀ ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଭିତ୍ତିଚିତ୍ର ଶିବିର । ଗାଁରେ ୪୫ଟି ଘରକୁ ସମ୍ବଲପୁରୀ ହସ୍ତତନ୍ତର ଡିଜାଇନର ଚିତ୍ରକଳାରେ ସଜାଇଛନ୍ତି ଚିତ୍ରକର । ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି ୪୦ଟି ଚିତ୍ରକର ଓ ୪୭ଟି ବୁଣାକାର । ବୁଣାକାରମାନେ ସମ୍ବଲପୁରୀ ଡିଜାଇନର ଆଇଡିଆ ପ୍ରଦାନ କରିଥିବାବେଳେ ଚିତ୍ରକରମାନେ ତାହାକୁ ବୁଣାକାର ମାନଙ୍କ ଘର କାନ୍ଥରେ ଚିତ୍ର କରିଛନ୍ତି ।