ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ 2ଟି ହାତୀର ସନ୍ଦେହଜନକ ମୃତ୍ୟୁ ଘଟଣା । ଏହି ଘଟଣାକୁ ନେଇ କୁଚିଣ୍ଡା ଉପଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ତିଳେଇମାଲ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଜଏଣ୍ଟ ଟାସ୍କ ଫୋର୍ସ ସଦସ୍ୟ । ନିକଟରେ ତିଳେଇମାଲ ଗ୍ରାମସ୍ଥିତ ପତରା ଜଙ୍ଗଲରେ 2ଟି ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।
ଏହି ଘଟଣାର ଅଧିକ ତଦନ୍ତ କରିବାକୁ ସମ୍ବଲପୁରରେ ଜଏଣ୍ଟ ଟାସ୍କ ଫୋର୍ସ ଟିମ ପହଞ୍ଚିଛି । ଏହି 2ଟି ହାତୀ ମୃତ୍ୟୁର ରହସ୍ୟ ଖୋଜୁଛି ଏବେ ଜଏଣ୍ଟ ଟାକ୍ସଫୋର୍ସ କମିଟି । ଏହି ଜଙ୍ଗଲରୁ ଗତ ଗୁରୁବାର ଦିନ 2ଟି ହାତୀର ମୃତଦେହ ଠାବ ହୋଇଥିଲା l ପରେ ଶୁକ୍ରବାର ବାମରା ଡିଏଫଓଙ୍କ ଉପସ୍ଥିତିରେ 2ଟି ହାତୀର ମୃତଦେହ ବ୍ୟବଚ୍ଛେଦ କରି ପୋତି ଦିଆଯାଇଥିଲା । ରବିବାର ଅପରାହ୍ନରେ ଭୁବନେଶ୍ୱରରୁ ରାମପ୍ରସାଦ ଅରବିନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଜଏଣ୍ଟ ଟାସ୍କ ଫୋର୍ସର ପ୍ରତିନିଧି ଦଳ କୁଚିଣ୍ଡା ତିଳେଇମାଲ ଗାଁରେ ପହଞ୍ଚି ଘଟଣାସ୍ଥଳର ପାରିପାର୍ଶ୍ଵିକ ପରିସ୍ଥିତି ଦେଖିଥିଲେ । ଏହାସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ପୂର୍ବରୁ କ୍ଷେତରେ ସିଞ୍ଚନ ହୋଇଥିବା କୀଟନାଶକ ଯୋଗୁଁ ହାତୀ 2ଟିର ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରିଥିଲା ବନବିଭାଗ l
ଏହାମଧ୍ୟ ପଢ଼ନ୍ତୁ....... ସମ୍ବଲପୁରରେ ହାତୀ ମୃତ୍ୟୁ ଘଟଣା, ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ