ସମ୍ବଲପୁର: ବଡରମା ରେଞ୍ଜ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ । ଗତ ଗୁରୁବାର ଦୁଇ ହାତୀଙ୍କ ମୃତ୍ୟୁ ହୋଇଥିଲା । ମୃତ ହାତୀଙ୍କ ମଧ୍ୟରେ ଗୋଟିଏ ମାଈହାତୀ ଥିବା ବେଳେ ଅନ୍ୟଟି ଅଣ୍ଡିରା ହାତୀ ଥିଲା । ଏନେଇ ପିସିସିଏଫ ବନ୍ୟପ୍ରାଣୀ ସୁଶିଲ କୁମାର ପୋକଲି କହିଛନ୍ତି ଯେ,‘‘ଏହି ମାମଲାରେ ପ୍ରଥମ କରି ତଦନ୍ତ ଦାୟିତ୍ବ ତୁଲାଇବ ଜଏଣ୍ଟ ଟାସ୍କ ଫୋର୍ସ । ଏହି ଟାକ୍ସ ଫୋର୍ସ ରିପୋର୍ଟ ଦେବା ପରେ ପ୍ରକୃତ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହାତୀ ଓ ମଣିଷ ମଧ୍ୟରେ ଲଢେଇ ବନ୍ଧ ପାଇଁ ଗଜସାଥୀ ଯୋଜନା ଆରମ୍ଭ କରାଯାଇଛି । ଏବେ ସୁଦ୍ଧା 800 ଗାଁର ଲୋକଙ୍କୁ ସଂପୃକ୍ତ କରାଯାଇଛି । ଜଗତପୁରରେ ହାତୀ ଗାଁ ମୁହାଁ ହୋଇଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃର୍କ୍ତ ହାତୀ ଦୁଇଙ୍କୁ ଜଙ୍ଗଲରେ ଛଡ଼ାଯାଇଛି ଏବଂ ହାତୀ ଦ୍ୱୟଙ୍କୁ ଟ୍ରାକ ମଧ୍ୟ କରାଯାଉଛି''।
ହାତୀ ମୃତ୍ୟୁକୁ ନେଇ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ, ''ଏ ବାବଦରେ ସରକାର ସଂପୂର୍ଣ୍ଣ ଭାବରେ ତତ୍ପର ଅଛନ୍ତି । ଏହାକୁ ନେଇ ଜଏଣ୍ଟ ଟାକ୍ସ ଫୋର୍ସ ଗଠନ କରାଯାଇଛି । ପୋଲିସ, ଜଙ୍ଗଲ ବିଭାଗ ଓ ପରିବେଶବିତକୁ ନେଇ ଏହି ଟାକ୍ସ ଫୋର୍ସ ଗଠନ କରାଯାଇଛି। ସରକାର ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ମାମଲାରେ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସମ୍ବଲପୁର ଘଟଣାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ପ୍ରଦୀପ ଅମାତ'' ।