ସମ୍ବଲପୁର:ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ନୂତନ ଧ୍ବଜାରୋହଣ ନୀତି ସମ୍ପନ୍ନ ହୋଇଛି । କୁମାର ପୂର୍ଣ୍ଣିମା ଅବସରରେ ମା' ସମଲେଶ୍ବରୀ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଇଛନ୍ତି । ମା'ଙ୍କ ଏହି ରୂପ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । କୁମାର ପୂର୍ଣ୍ଣିମାରେ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା' ରାଜରାଜେଶ୍ୱରୀ ରୂପ ଧାରଣ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମନ୍ଦିରରେ ନୂତନ ଧ୍ବଜା ଆରୋହଣ କରାଯାଇଛି ।
କୋରୋନା କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ହେବ କେବଳ ମନ୍ଦିର ପୂଜକ ଓ ଟ୍ରଷ୍ଟ ବୋର୍ଡ ସଭ୍ୟଙ୍କ ଉପସ୍ଥିତରେ ଏହି କାର୍ଯ୍ୟ କରା କରାଯାଉଥିଲା । ଚଳିତ ଥର ପରିସ୍ଥିତି ସାମାନ୍ୟ ଥିବାରୁ ଭକ୍ତଙ୍କ ଉପସ୍ଥିତିରେ ହୋଇଥିଲା । କୁମାରପୂର୍ଣ୍ଣିମା ଦିନ ମା' ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ବହୁ ବର୍ଷର ପରମ୍ପରା ରହିଛି । ସେହିପରି ପୂର୍ଣ୍ଣିମା ତିଥିରେ ସମଲେଶ୍ବରୀ ମନ୍ଦିରର ନୂତନ ଧ୍ବଜାରୋହଣ ପରମ୍ପରା ରାଜା ବଳରାମ ଦେବଙ୍କ ସମୟରୁ ରହିଆସିଛି । ଏନେଇ ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି, "ମା'ଙ୍କ ରାଜରାଜେଶ୍ବରୀ ବେଶକୁ ମହାରାଣୀ ବେଶ ବୋଲି କୁହାଯାଏ । ଏହି ବେଶ ଦେଖିବା ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥାଏ ।"