ସମ୍ବଲପୁର: ବର୍ତ୍ତମାନ ଯୋଜନା, ପ୍ରକଳ୍ପ ଓ ଅଭିଯାନ ଶୁଭାରମ୍ଭ ଋତୁ ଚାଲିଛି । ତେବେ ଶୁଭାରମ୍ଭ ହେବା ପରେ ଏହି ସବୁ ପ୍ରକଳ୍ପ କେତେ ପ୍ରତିଶତ କାର୍ଯ୍ୟକାରୀ ହେଉଛି ? ଲୋକଙ୍କୁ ଏହି ସବୁ ପ୍ରକଳ୍ପ ଯୋଜନାର ଲାଭ ମିଳୁଛି କି ନାହିଁ ତାହାର ତଦାରଖ କରିବାକୁ କେହି ନାହାନ୍ତି । କେତେ ସମୟସୀମା ମଧ୍ୟରେ ଲୋକଙ୍କୁ ଯୋଜନା ବା ପ୍ରକଳ୍ପର ଲାଭ ମିଳୁଛି ତାହାର ହିସାବ ମିଳୁନି । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳରେ କିଛି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।
ରେଢ଼ାଖୋଲ NACରେ ଦୀର୍ଘ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିଲା । ଏଥିପାଇଁ ସହରବାସୀ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲେ । ନେତା ମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହି ଯାଉଥିଲା । ଏହି ସମସ୍ୟାର ସମାଧାନ ପାଇଁ 2013 ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭିତ୍ତି ପ୍ରସ୍ତର ସ୍ଥାପନ ହେବାର ୮ ବର୍ଷ ପରେ ଶେଷରେ ରେଢ଼ାଖୋଲବାସୀଙ୍କ ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ କାର୍ଯ୍ୟରେ ଆସି ପାରିଛି । ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହୋଇଛି ।
ରେଢ଼ାଖୋଲ ସହରର ଭୌଗୋଳିକ ଅବସ୍ଥିତି ହିଁ ପାନୀୟ ଜଳ ଯୋଗାଣ ଭଳି ପ୍ରମୁଖ ସମସ୍ୟା ସୃଷ୍ଟି କରିଥିଲା । ନିକଟରେ ବଡ଼ ନଦୀ ନଥିବାରୁ ଏହି ସମସ୍ୟା ରେ ସ୍ଥାନୀୟ ଲୋକ ବହୁ ଦିନ ହେଲା ସଙ୍ଘର୍ଷ କରୁଥିଲେ । ପାନୀୟ ଜଳ ପ୍ରକଳ୍ପରେ ବର୍ତ୍ତମାନ ପଡ଼ୋଶୀ ଜିଲ୍ଲା ବୌଦ୍ଧର କିଆକଟା ମହାନଦୀରୁ ସହରକୁ ଆସିଛି ପାନୀୟଜଳ । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ସ୍ଥାନୀୟ ଲୋକଙ୍କୁ ମିଳିଛି ଆଶ୍ବସ୍ତି ।