ସମ୍ବଲପୁର:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଶନିବାର ସମ୍ବଲପୁର ଠାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (CAC)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିରେ ଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲ ସଂଘର ପ୍ରତିନିଧି ମାନେ ସାମିଲ ହୋଇଥିଲେ ।
ବୈଠକରେ ପଶ୍ଚିମ ଓଡିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଚିଠି ଅନୁସାରେ ମୁଖ୍ୟମନ୍ତ୍ରୀ ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା ରାଜ୍ୟ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ଏନେଇ ଏକ ସମ୍ପୂର୍ଣ୍ଣ ତଥ୍ୟ ସମ୍ଵଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ବୋଲି କମିଟି ଦାବି କରିଛି ।