ସମ୍ବଲପୁର:ଜିଲ୍ଲାକୁ ଗସ୍ତ କରିଥିଲେ ମନ୍ତ୍ରୀ ଅରୁଣ ସାହୁ। ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଚିପିଲିମା ଅଞ୍ଚଳରେ ଥିବା ମତ୍ସ୍ୟ ଯାଆଁଳା କେନ୍ଦ୍ରକୁ ନିଜ ଗାଡ଼ିରେ ଯାଉଥିବା ସମୟରେ ଅଚାନକ ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇଥିଲେ କିଛି ଲୋକ । ଆଉ ସେହି ଲୋକ ମାନେ ଥିଲେ କିଛି ସ୍ଥାନୀୟ ବିଜେପି ନେତା ଆଉ ମନ୍ତ୍ରୀଙ୍କ ଆଗରେ ରଖିଥିଲେ କିଛି ଅଭିଯୋଗ ।
ସୂଚନା ଅନୁସାରେ ମନ୍ତ୍ରୀଙ୍କ ଗାଡ଼ି ଅଟକାଇବା ବେଳେ ସମସ୍ତେ ଭାବିଥିଲେ ମନ୍ତ୍ରୀଙ୍କୁ ବିରୋଧ ହେବ, କଳା ପତାକା ପ୍ରଦର୍ଶନ ଅଥବା ଅଣ୍ଡା ମାଡ଼ ହେବ। ତେବେ ସେମିତି କିଛି ହୋଇନଥିଲା। ବିଜେପି ନେତାଙ୍କୁ ଦେଖି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ କାରରୁ ବାହାରି ସମସ୍ୟା କଣ ବୋଲି ପଚାରି ଥିଲେ। ଏହାପରେ ବିଜେପି ନେତା ସମୀର ରଞ୍ଜନ ବାବୁ ଅନ୍ୟ କିଛି ବିଜେପି କର୍ଯ୍ୟକର୍ତ୍ତାଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଆଗରେ ନିଜର କିଛି ଅଭିଯୋଗ ରଖିଥିଲେ।
ଏପରିକି ସ୍ଥାନୀୟ ବିଜେପି ବିଧାୟକ ନାଉରୀ ନାଏକଙ୍କୁ କାହିଁକି ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ବିଜେପି ନେତା। ମନ୍ତ୍ରୀ ମଧ୍ୟ ଗାଡ଼ିରୁ ବାହାରି ଅଧଘଣ୍ଟା କାଳ ବିଜେପି ନେତାଙ୍କ ଠାରୁ ଧୈର୍ଯ୍ୟର ସହ ସମସ୍ତ ଅଭିଯୋଗ ଶୁଣିଥିଲେ।