ସମ୍ବଲପୁର:ପ୍ରତିଶୃତି, ପ୍ରତାରଣା ଓ ପ୍ରହେଳିକାର ସାଢେ 6 ଦଶନ୍ଧି । ବିସ୍ଥାପନ ପରେ ବିସ୍ଥାପନ । ପୁଣି ଆକାଶରୁ ସ୍ବର୍ଗ ତୋଳି ଆଣିଦେବାର ଛଳନା । ଆଉ ଏହି ସାଂଘାତିକ ଛଳନା ଓ ପ୍ରତାରଣା କେବେ ଆଶା କରିନଥିଲେ ନିରୀହ ଗରିବ ଗୁରୁବା ଲୋକଗୁଡାକ । ତାଙ୍କର ଦୋଷ ଏହା ଯେ ଦେଶର ଗୌରବ ପାଇଁ ରାଜ୍ୟର ଦୃତ ବିକାଶ ପାଇଁ ଭିଟାମାଟି ତ୍ୟାଗ କରିଛନ୍ତି । ଆଉ ଏହି ତ୍ୟାଗ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ସହ ଯେଉଁ ଛଳନା କରିଛନ୍ତି ତାହା ଆଜିର ତୃତୀୟ ପୀଢି ମଧ୍ୟ ଶୁଣି ଦେଖି ଗୁମୁରି ଗୁମୁରି କାନ୍ଦୁଛନ୍ତି ସିନା ହେଲେ ତାଙ୍କ କାନ୍ଦ କୌଣସି ନିର୍ବାଚିତ ସରକାର ପାଖରେ ପହଞ୍ଚୁନାହିଁ । ନ୍ୟାୟ ପାଇବାକୁ ଆଉ କେତେ ଦିନ ଅପେକ୍ଷା କରିବେ ? ସେମାନଙ୍କୁ ଥଇଥାନ କେବେ କରିବେ ସରକାର ? କେବେ ସ୍ଥାପିତ ହେବେ ବିସ୍ଥାପିତ ? କାହିଁକି ସରକାର କଲେ ଛଳନା ? ବିକାଶ ପାଇଁ ଭିଟାମାଟି ଛାଡିବା କଣ ତାଙ୍କର ଭୁଲ ଥିଲା ? ଆଜି ରକ୍ତର ସମ୍ପର୍କ ଯେଉଁ ଛିନଛତ୍ର ହୋଇଯାଇଛି ସେଥିପାଇଁ ଦାୟୀ କିଏ ? ଏମିତି ଅନେକ ଯନ୍ତ୍ରଣାଦାୟକ ବେଦନାଭରା ପ୍ରଶ୍ନ ସରକାରଙ୍କୁ ପଚାରୁଛନ୍ତି ହୀରାକୁଦ ନଦୀବନ୍ଧ ବିସ୍ଥାପିତ ।
ସେଦିନ ଥିଲା 1946 ମସିହା ମାର୍ଚ୍ଚ 15 ତାରିଖ । ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ପଡିଲା ଭିତ୍ତିପ୍ରସ୍ତର । ଆଉ ଆଜିର ଦିନରେ ଅର୍ଥାତ 1957 ଜାନୁଆରି 13 ରେ ବିକାଶର ନୂଆ ସୁନେଲୀ ସ୍ବପ୍ନ ନେଇ ଉଦଘାଟିତ ହେଲା ହୀରାକୁଦ ନଦୀବନ୍ଧ। ଆଜି ହୀରାକୁଦ ନଦୀବନ୍ଧ 65 ବର୍ଷରେ ପଦାର୍ପଣ କରିଛି । କିନ୍ତୁ ଏହି ନଦୀବନ୍ଧ ନିର୍ମାଣ ପାଇଁ ଯେଉଁମାନଙ୍କ ଜୀବନ ମାଟିରେ ମାଟି ହୋଇଗଲା ପୀଢି ପରେ ପୀଢି ଲୋପ ପାଇଗଲା, ପେଟକୁ ଦାନ ମୁଠାଏ ଦେବାପାଇଁ ଛିନଛତ୍ର ହୋଇଗଲେ । ସେମାନଙ୍କୁ ଏ ସରକାର କେବେ ଉପଯୁକ୍ତ ଭାବେ ଖୋଜିଛି ନା ଥାଇଥାନ କରିଛି । କାରଣ ସେମାନେ ବିସ୍ଥାପିତ ଆଉ ଗରିବ । ସେମାନଙ୍କ ପାପ ଏହା ଯେ ନିଜ ଭିଟାମାଟିକୁ ହୀରାକୁଦ ଗର୍ଭରେ ବୁଡିଯିବାକୁ ଦେଲେ । ଯାହାର ଫଳ ବୋଧହୁଏ ଭୋଗୁଛନ୍ତି ବିସ୍ଥାପନ ଜୀବନ ।
କେତେ ଲୋକ ହୋଇଥିଲେ ପ୍ରଭାବିତ ?
ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତଥ୍ୟ ଅନୁସାରେ ନଦୀବନ୍ଧ ପାଇଁ ସମଗ୍ର ଅଞ୍ଚଳର ଦେଢ ଲକ୍ଷ ହେକ୍ଟର ଚାଷ ଜମି ବୁଡିଗଲା । 750 ବର୍ଗ କିଲୋମିଟର ବ୍ୟାପି ଜଳ ଭଣ୍ଡାର ଅଞ୍ଚଳରେ ଥିବା 369 ଗାଁ ପାଣିରେ ସମାଧି ହୋଇଗଲା । ଶହ ଶହ ମଠ ମନ୍ଦିର, ଧର୍ମାନୁଷ୍ଠାନ ସହ ଘର ଦ୍ବାର ସମ୍ପର୍କ ସମ୍ପତ୍ତି ବୁଡିଲା । ଏଥିପାଇଁ 26 ହଜାରୁ ଅଧିକ ପରିବାର ହେଲେ ପ୍ରଭାବିତ । 19 ହଜାରରୁ ଅଧିକ ପରିବାର ହେଲେ ଚିରକାଳ ପାଇଁ ବିସ୍ଥାପିତ । ହେଲେ ସରକାରଙ୍କ ଛଳନା ପାଇଁ ଏହି ବିସ୍ଥାପିତ ପରିବାର ନିଶ୍ଚିହ୍ନ ହୋଇଯିବା ସ୍ଥିତିରେ ଏବେ । ଭିଟାମାଟିରୁ ଜନ୍ମଜନ୍ମାନ୍ତର ଯାଏ ବିଚ୍ଛିନ୍ନ ହୋଇଯିବାର ଦୁଃଖ ଯନ୍ତ୍ରଣା କୋହରେ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନ ଓ ପଡୋଶୀ ଛତିଶଗଡର କେଉଁ ଏକ ଅଚିହ୍ନା ଅଜଣା ଜାଗାରେ ଆଶ୍ରୟ ନେଇଛନ୍ତି ବିସ୍ଥାପିତଙ୍କ ପରବର୍ତ୍ତୀ ପୀଢି । ଆଉ ଅପେକ୍ଷା କରିଛନ୍ତି ଆଖିରେ ପୁଟୁଳି ବାନ୍ଧୀ ଶାସନ କରୁଥିବା ସରକାରର ସହାୟତାକୁ ।
କୁହାଯାଏ ହୀରାକୁଦ ନଦୀବନ୍ଧ ପାଇଁ ହୋଇଥିବା ବିସ୍ଥାପିତ ଦେଶର ସର୍ବବୃହତ ବିସ୍ଥାପନ । ହେଲେ କେନ୍ଦ୍ର ଓ ରାଜ୍ୟରେ ସରକାର ପରେ ସରକାର ଆସିଛି ଯାଇଛି । କିନ୍ତୁ ଦେଶର ସର୍ବବୃହତ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢିଛି ସିନା କେବେ କମିନାହିଁ। ଏହି ହୀରାକୁଦକୁ ବିଦେଶରୁ କେତେ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଲେ, କେଉଁ ରଙ୍ଗର ପକ୍ଷୀ ଆସିଲେ, କେତେ ଦିନ ରହିଲେ, କେତେ ଅଣ୍ଡା ଦେଲେ କେତେଦିନ ବସବାସ କଲେ ସରକାର ଗୋଟି ଗୋଟି କରି ଗଣତି କରିପାରୁଛନ୍ତି । ଅଥଚ ସେହି ହୀରାକୁଦ ନଦୀବନ୍ଧ ନିର୍ମାଣ ପାଇଁ ଯେଉଁ ଅଭାବୀ ଅଶିକ୍ଷିତ ଅଳ୍ପଶିକ୍ଷିତ ପରିବାର ଜନ୍ମଭୂମି କର୍ମଭୂମି ସହ ନିଜ କୂଳଦେବତାଙ୍କୁ ନଦୀବନ୍ଧରେ ବୁଡିଯିବାର ଦାରୁଣ କଷ୍ଟକୁ ସହିଲେ ଦେଖିଲେ ଓ ରାଜ୍ୟର ବିକାଶ ପାଇଁ ସର୍ବସ୍ବ ତ୍ୟାଗକଲେ ତାଙ୍କୁ ଏହି କର୍ମବୀର ବିକାଶ ବୀର ସରକାର ଗଣତି କରିପାରୁ ନାହିଁନ୍ତି । ଏହାଠାରୁ ଅଧିକ ଆଉ କଣ ବିଡମ୍ବନା ହୋଇପାରେ ।
ଅଧିକାର ପାଇଁ ଦାବି ଆପତ୍ତି ସଂଘର୍ଷ ଆନ୍ଦୋଳନ ବିକ୍ଷୋଭ ପରେ ସରକାର ଶୁଣିଥଲେ ବିସ୍ଥାପିତଙ୍କ ଚିତ୍କାର । ପ୍ରଭାବିତ ହୋଇଥିବା 26 ହଜାର ପରିବାରକୁ ପ୍ରତି ପରିବାର ପିଛା 10 ଡେସିମିଲ ଲେଖାଏଁ ଘର ଡିହ ଦେବାକୁ 1993 ମସିହାର ହୋଇଥିଲା ନିର୍ଦ୍ଦେଶ । କିନ୍ତୁ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିଙ୍କ କହିବା ଅନୁସାରେ ଏବେ ମାତ୍ର 2 ହଜାର ପରିବାରକୁ ମିଳିଛି ପଟ୍ଟା । 2 ହଜାରରୁ ଅଧିକ ପରିବାରକୁ ସରକାରୀ କ୍ୟାମ୍ପରେ କରାଯାଇଛି ଥଇଥାନ । ଆହୁରି ହଜାର ହଜାର ପରିବାର ଜୀବନ ଜୀବିକା ଅନ୍ବେଷଣରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା (ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ, ଦେବଗଡ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ସହ ପଡୋଶୀ ଛତିଶଗଡ, ବିହାରକୁ ଚାଲିଗଲେ । ଫଳରେ 1993 ମସିହାରେ ସରକାର ଘୋଷଣା କରିଥିବା ସହାୟତା ପାଇବାରୁ ସେମାନେ ବଞ୍ଚିତ ହେଲେ । ସରକାରୀ ତଥ୍ୟ ଅନୁସାରେ 26 ହଜାର ବିସ୍ଥାପିତ ପରିବାରରୁ ମୋଟ 6 ହଜାର ପରିବାରକୁ ମିଳିଛି ଜମି ବା ଘରବାଡି ପଟ୍ଟା ।