ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଡାଏରୀ ଫାର୍ମର 20 ଏକରରୁ ଊର୍ଦ୍ଧ୍ବ ଜମିକୁ ନେଇ ଉତ୍ପନ୍ନ ହୋଇଛି ଉତ୍ତେଜନା ପରିସ୍ଥିତି । ରାଉରକେଲା-ରାଷ୍ଟ୍ରୀୟ ଗୋକୁଲ ମିଶନରେ ସାମିଲ ଥିବା ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଡାଏରୀ ଫାର୍ମର 20 ଏକରରୁ ଊର୍ଦ୍ଧ୍ବ ଜମିକୁ ଏକ ଘରୋଇ କମ୍ପାନୀ କଵଜା କରିବାକୁ ଉଦ୍ୟମବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଘରୋଇ କମ୍ପାନୀର ଏହି ଉଦ୍ୟମକୁ କୁଆଁରମୁଣ୍ଡାବାସୀ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
କମ୍ପାନୀ ତରଫରୁ ଯେଉଁ ନିର୍ମାଣ କାମ କରାଯାଇଥିଲା, ରବିବାର ତାହାକୁ କମ୍ପାନୀ ଗାଡ଼ିରେ ହିଁ ଭାଙ୍ଗି ଦେବା ସହ ପୋଲିସ ଉପସ୍ଥିତିରେ ଫେରାଇବା ପରେ ଘଟଣାସ୍ଥଳରେ ଥିବା କୁଆଁରମୁଣ୍ଡାବାସୀଙ୍କ ଉତ୍ତେଜନା କମିଥିଲା।
ଏହି 20 ଏକର ଜମିରେ 2004 ମସିହାରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜ ଲାଗି ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ସେ ସମୟରେ ଡାଏରୀ ଫାର୍ମ କର୍ତ୍ତୃପକ୍ଷ ଇଡ଼କୋକୁ କଲେଜ ଲାଗି ଜମି ହସ୍ତାନ୍ତର କରିଥିଲେ । ମାତ୍ର କୌଣସି କାରଣରୁ ମେଡିକାଲ କଲେଜ ହୋଇ ପାରି ନଥିବାରୁ ପରେ ମହାବୀର ଘରୋଇ କମ୍ପାନୀ ସେହି ଜମିକୁ ଇଡ଼କୋ ଠାରୁ ଲିଜରେ ନେଇଥିଲେ । ଯାହାକୁ ବିରୋଧ କରିଥିଲେ କୁଆଁରମୁଣ୍ଡାବାସୀଙ୍କ ସମେତ ତତ୍କାଳୀନ ବିରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ତଥା ସାଂସଦ ଜୁଏଲ ଓରାମ । ଯାହାପରେ କମ୍ପାନୀ କର୍ତ୍ତୃପକ୍ଷ ବାରମ୍ବାର ଜମି ନେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ।