ରାଉରକେଲା: ଗଣ୍ଡା ଗଣ୍ଡା ଯୋଜନା ହେଉଛି । ହେଲେ ସବୁ ଯୋଜନା ଯେମିତି କେବଳ ଖାତା କଳମରେ ସୀମିତ ରହିଯାଉଛି । ବାସ୍ତବରେ ଏହା କେତେ କାର୍ଯକାରୀ ହେଉଛି ତାହା ରାଉରକେଲା କୁଆରମୁଣ୍ଡା ତଥା ନୂଆଗାଁ ବ୍ଲକର ଥିବା ବାଉଁଶ ପୋଲକୁ ଦେଖିଲେ ବେଶ ଅନୁମେୟ । ଲୋକେ ନଈ ପାର ହେବା ପାଇଁ ନିର୍ଭର କରୁଛନ୍ତି ଏକ ଅସ୍ଥାୟୀ ବାଉଁଶ ପୋଲ ଉପରେ ।
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା ରାଉରକେଲା ସହରକୁ ସ୍ମାର୍ଟସିଟି ଘୋଷଣା କରାଯିବା ପରେ ଗମନାଗମନ ନେଇ ବ୍ୟବସ୍ଥା ଏବଂ ନଦୀ ଉପରେ ବ୍ରିଜ କରାଯିବ ବୋଲି ସ୍ଥାନୀୟ ଲୋକଙ୍କ ମନରେ ଆଶା ସଞ୍ଚାରି ଥିଲା । ତେବେ ବର୍ତ୍ତମାନ ସ୍ଥିତି ଯେଉଁ ତିମିରେ କୁ ସେଇ ତିମିରେ । ଲୋକେ ବର୍ଷାଦିନେ ନଦୀ ପାର ହେବା ପାଇଁ ଡଙ୍ଗା ଉପରେ ନିର୍ଭର କରୁଥିବାବେଳେ ଖରାଦିନେ ବାଉଁଶ ପୋଲ ଏମାନଙ୍କ ସାହା ଭରସା ପାଲଟିଛି ।
ନିଜ ଜୀବନକୁ ବାଜି ଲଗାଇ ଛୋଟ ପିଲାଙ୍କ ଠାରୁ ବୟସ୍କ ସମସ୍ତେ ବାଉଁଶ ପୋଲ ଦେଇ ନଦୀ ଆରପାରିକୁ ଯାଉଛନ୍ତି । 2013 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ବିଧାୟକ ତଥା ସାଂସଦଙ୍କ ଉପସ୍ଥିତିରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। କିନ୍ତୁ ଶିଳାନ୍ୟାସକୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ଏଯାଁଏ କାର୍ଯ୍ୟକାରୀ ହୋଇପାରିନି ।
କେନ୍ଦ୍ର ଆଦିବାସୀ ବ୍ୟାପାରମନ୍ତ୍ରୀ ଜୁଏଲ ଓରାମ ଏଠାକାର ସାଂସଦ । ଏପଟେ ରାଜ୍ୟ ସରକାର ମଧ୍ୟ ଆଦିବାସୀଙ୍କ ବିକାଶ ପାଇଁ ସମସ୍ତ ପଦକ୍ଷେପ ହାତକୁ ନିଆଯାଇଥିବା ଡିଣ୍ଡିମ ପିଟୁଛନ୍ତି । ତେବେ ସୁଧୁରୁନି ସମସ୍ୟା । ନିର୍ବାଚନ ସମୟରେ ମାଳ ମାଳ ନେତା ଭୋଟ ମାଗୁଥିବା ବେଳେ ପରେ ଆଉ ଦେଖା ମିଳୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ