ରାଉରକେଲା: ସରକାରୀ ଡାକ୍ତରଖାନାରେ ଡ୍ରେସିଂ କଲେ ରାଉରକେଲା ବିଜେଡି ବିଧାୟକ । ସାରଦା ପ୍ରସାଦ ନାୟକ ରାଉରକେଲା ସରକାରୀ ମେଡିକାଲରେ ପହଞ୍ଚି ରୋଗୀଙ୍କ ଡ୍ରେସିଂ କରୁଥିବା ଦେଖିବାକୁ ମିଳିଛି । ତେବେ ବିଧାୟକଙ୍କ ଏଭଳି ମହାନତା ପଛରେ ରହିଛି ଆନ୍ଦୋଳନରତ ଗ୍ରୁପ-ଡି କର୍ମଚାରୀଙ୍କ ଧାରଣା ।
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା ଦୀର୍ଘ 20 ବର୍ଷ ହେଲା କାର୍ଯ୍ୟରତ ଥିବା ଗ୍ରୁପ ଡି କର୍ମଚାରୀଙ୍କୁ ସଫେଇ କାମରେ ଲଗାଇବାକୁ ଘରୋଇ ଠିକା କମ୍ପାନୀ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ତେଣୁ ଆଇଜିଏଚ ହସ୍ପିଟାଲ ସାମନାରେ କର୍ମଚାରୀମାନେ ଧାରଣା ଦେବା ସହ ହସ୍ପିଟାଲରେ ଡ୍ରେସିଂ ଓ ରସିଦ କଟା କାମ ବନ୍ଦ କରିଦେଇଥିଲେ ।
ଏହି ଘଟଣା ସମ୍ପର୍କରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଜାଣିବା ପରେ ଅପରାହ୍ନରେ ହସ୍ପିଟାଲରେ ପହଞ୍ଚିଥିଲେ । ମାତ୍ର ଆଲୋଚନାରୁ କିଛି ନିଷ୍କର୍ଷ ନବାହାରିବାରୁ ବିଧାୟକ ନିଜେ ରୋଗୀଙ୍କ ବ୍ୟାଣ୍ଡେଜ କରିଥିଲେ । କେବଳ ରୋଗୀଙ୍କ ବ୍ୟାଣ୍ଡେଜ କରି ନଥିଲେ କାଉଣ୍ଟରରେ ରସିଦ ମଧ୍ୟ କାଟିଥିଲେ । ଯାହାକୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚା ହେଉଛି ।
କର୍ମଚାରୀଙ୍କ ଧାରଣା ଯୋଗୁଁ ଅନେକ ରୋଗୀ ସେବା ବ୍ୟାହତ ହୋଇଥିଲା । ଯାହାକୁ ଦେଖି ବିଧାଯକ କର୍ମଚାରୀଙ୍କ ସମସ୍ୟାର ସମାଧାନ ଖୁବଶୀଘ୍ର କରିବାକୁ ଉଦ୍ୟମ କରିବେ ବୋଲି କହିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କର୍ମଚାରୀଙ୍କୁ ନିବେଦନ କରିଥିଲେ । ଏହାପରେ ହସ୍ପିଟାଳରେ ରୋଗୀ ସେବା ସ୍ବଭାବିକ ହୋଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ