ସୁନ୍ଦରଗଡ: ପୁଣି ପଦାରେ ପଡିଲା ରାଉରକେଲା ସରକାରୀ ହସପିଟାଲର ଅବହେଳା । ପୂର୍ବରୁ ଡାକ୍ତରଖାନାର କର୍ମଚାରୀଙ୍କ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ଘଟଣା। ଗତକାଲି ଶବ ଗୃହରେ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ କୁକୁର ଖାଇଯିବା ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ରାଉରକେଲା ସରକାରୀ ହସପିଟାଲ । ଏହାକୁ ନେଇ ରାଉକେଲା ସରକାରୀ ହସପିଟାଲ ପରିସର ଆଶାନ୍ତ ହୋଇଛି । ମୃତକଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକେ ହସପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଗୁରୁବାର ରାତି ପ୍ରାୟ 11ଟା ସମୟରେ ରାଉରକେଲା ସହରର ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା। ଏକ ବୋଲେରୋ ପିକଅପ ଧକ୍କାରେ ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳର ଦିନ ମଜୁରିଆ ରାଜେଶ ଯାଦବର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଉଦିତ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ରାଉରକେଲା ସରକାରୀ ହସପଟାଲରର ଶବ ଗୃହ ( Morgue House)ରେ ରଖି ତଦନ୍ତ କରିବା ସହ ମୃତ ବ୍ୟକ୍ତିର ପରିଚୟ ଖୋଜିଥିଲା । ଶୁକ୍ରବାର ଦିନ 11ଟାରେ ମୃତକଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଶନିବାର କୌଣସି କାରଣବଶତଃ ମୃତଦେହ ବ୍ୟବଛେଦ ହୋଇନଥିଲା । ତେବେ ଗତକାଲି ( ରବିବାର ) ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେବା ବେଳେ କୁକୁର ଅଧା ଖାଇଥିବା ଜଣାପଡିଥିଲା । ଏହାକୁ ନେଇ ପରିବାର ଲୋକେ ବସ୍ତି ବାସିନ୍ଦାଙ୍କୁ ସୂଚନା ଦେବାରୁ ଉତ୍ତେଜନା ଦେଖାଦେଇଥିଲା ।