ରାଉରକେଲା: ଜୀବନଜୀବିକା ପାଇଁ ଭରା ନଈ ପାର୍ । ବିପଦ ସଙ୍କୁଳ ଅବସ୍ଥାରେ କୋଏଲ ନଦୀ ପାର କରୁଛନ୍ତି ଶହ ଶହ ଲୋକେ । କାରଣ ନଦୀ ପାର ନ କଲେ ପିଲାଛୁଆ ଉପାସ ରହିବେ । ସେଥିପାଇଁ ତ ବିପଦପୂର୍ଣ୍ଣ ନଦୀ ଏମାନଙ୍କ ଯାତାୟତକୁ ରୋକି ପାରୁନି । ବାଉଁଶପୋଲ ଭାସି ଯିବା ପରେ ଏହେଉଛି କୋଏଲ ନଦୀ ମିଟକୁନ୍ଦରୀ ଘାଟର ଦୃଶ୍ୟ । ଆଖିରେ ନ ଦେଖିଲେ ବିଶ୍ବାସ ହେବନି । ଲୋକେ କେମିତି ଜୀବନକୁ ବାଜି ଲଗାଇ କରୁଛନ୍ତି ନଦୀ ପାର ।
ଲଗାଣ ବର୍ଷାରେ ମିଟକୁନ୍ଦରୀ ଘାଟ ନିକଟରେ ଥିବା ଦୁଇଟି ବାଉଁଶପୋଲ ଭାସିଗଲା । ଡଙ୍ଗା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ହୋଇପାରିଲା ନାହିଁ । ଫଳରେ ଏହି ବାଉଁଶ ପୋଲ ଉପରେ ନିର୍ଭର କରୁଥିବା ଶହଶହ ଲୋକେ ଏବେ ଅସହାୟ । ବାଧ୍ୟ ହୋଇ ସେମାନେ ବିପଦ ସଙ୍କୁଳ ଅବସ୍ଥା ନଦୀ ପାର କରନ୍ତି । ତେବେ ଏହି ପୋଲଟି ରାଉରକେଲାରୁ ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକର କେତେକ ଗ୍ରାମକୁ ସଂଯୋଗ କରୁଥିଲା । ଏହି ପୋଲ ଦେଇ ପ୍ରତ୍ୟେକ ଦିନ ବହୁ ବେପାରୀ ଯାତାୟତ କରି ଦୁଇ ପଇସା ରୋଜଗାର କରନ୍ତି ।