ରାଉରକେଲା : ସ୍ବଚ୍ଛ ସର୍ବେକ୍ଷଣ 2020 ପ୍ରକାଶିତ ହୋଇସାରିଛି । ଓଡିଶା ରାଜ୍ୟ ଶ୍ରେଣୀରେ 8ମ ସ୍ଥାନ ଅଧିକାର କରିଛି । ରାଜ୍ୟରେ ସବୁଠାରୁ ସ୍ବଚ୍ଛର ମାନ୍ଯତା ପାଇଛି ବ୍ରହ୍ମପୁର । ଦ୍ବିତୀୟରେ ରହିଛି ଷ୍ଟିଲ ସିଟି ରାଉରକେଲା । ଗତ ବର୍ଷ ତୁଳନାରେ ଏଥର ଭଲ ମାର୍କ ରଖିଛି ରାଉରକେଲା । 1 ଲକ୍ଷରୁ 10 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରର ଗତ ବର୍ଷ 353 ସ୍ଥାନରେ ଥିବାବେଳେ ଏଥର 156କୁ ଉତ୍ତୀର୍ଣ୍ଣ ହୋଇଛି । ସମୁଦାୟ 6000 ନମ୍ବରରୁ 2794.55 ନମ୍ବର ରଖିଛି ରାଉରକେଲା ମହାନଗର ନିଗମ।
ପ୍ରଥମେ ଓଡ଼ିଏଫ ଏବଂ ପରେ ଓଡ଼ିଏଫ ପ୍ଲସ ପ୍ଲସ ସହର ଭାବେ ରାଉରକେଲା ପୂର୍ବରୁ ମାନ୍ୟତା ପାଇସାରିଛି। ଗାରବେଜ ଫ୍ରି ସିଟି ଷ୍ଟାର ରାଙ୍କିଙ୍ଗରେ ୱାନ ଷ୍ଟାର ରାଙ୍କିଙ୍ଗ ପାଇଛି। ତେବେ ଏଥିରେ ମହାନଗର ନିଗମ କର୍ତ୍ତୃପକ୍ଷ ବିଶେଷ ସନ୍ତୁଷ୍ଟ ନଥିଲେ ହେଁ ଆଗକୁ ସହରକୁ ଆହୁରି ସ୍ଵଚ୍ଛ ରଖିବା ଲାଗି ଭରପୁର ପ୍ରୟାସ କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ଯାହା କିଛି କିଞ୍ଚିତ ସଫଳତା ମିଳିଛି ତାହାର ଶ୍ରେୟ ନିଶ୍ଚିତ ଭାବେ ରାଉରକେଲା ବାସୀଙ୍କର ଏବଂ ସେମାନଙ୍କ ସହଯୋଗ ମିଳିଲେ ଆଗାମୀ ଦିନରେ ରାଉରକେଲା ସ୍ଵଛ ସହର ତାଲିକାରେ ଆହୁରି ଉପରକୁ ଉଠିପାରିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।