ରାଉରକେଲା: ଦିନକୁ ଦିନ ସହରରେ ବଢିବାରେ ଲାଗିଛି କୁକୁର କାମୁଡା ଆତଙ୍କ। ହେଲେ ଦୁଃଖର କଥା କି ଏହାର ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ନାହିଁ ଇଞ୍ଜେକ୍ସନ। ଏହାଛଡା ବାହାର ଔଷଧ ଦୋକାନରେ ମଧ୍ୟ ନାହିଁ କୁକୁର କାମୁଡା ଚିକିତ୍ସା ପାଇଁ ଆବଶ୍ୟକ ଔଷଧ। ଫଳରେ ବିନା ଚିକିତ୍ସାରେ ଡାକ୍ତରଖାନାରୁ ଫେରିଯାଉଛନ୍ତି ଲୋକେ।
ସରକାରୀ ଡାକ୍ତରଖାନାର ଡାକ୍ତରଙ୍କ ଅନୁଯାୟୀ ଗତ 4 ଦିନ ହେଲା କୁକୁର କାମୁଡା ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ ଏଆରବି(ଆଣ୍ଟି ରାବିସ)ର ମହଜୁଦ ନାହିଁ। ହେଲେ ବାସ୍ତବରେ କଥା କିଛି ଅଲଗା । ଗତ 9 ମାସ ହେବ ଏହି ଇଞ୍ଜେକ୍ସନ ପଠାଇନାହାଁନ୍ତି ସରକାର। ପୂର୍ବରୁ 15 ଲକ୍ଷ ଟଙ୍କା ବ୍ୟୟରେ କିଣା ହୋଇଥିବା ଔଷଧ ସରିଯାଇଛି । ଯାହା ଡିସେମ୍ବର ମାସରେ ମଧ୍ୟ ଆସିବାର କୌଣସି ସମ୍ଭାବନା ନାହିଁ । ତେଣୁ ବିନା ଚିକିତ୍ସାରେ ନିରାଶ ହୋଇ ଫେରୁଛନ୍ତି ଲୋକେ।