ରାଉରକେଲା: ଉତ୍ତରପ୍ରଦେଶ ଆଜମଗଡ଼ ଜିଲ୍ଲାର ଫୁଦପୁରର ଇଟାଭାଟିରୁ 14 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର 14 ଜଣଙ୍କ ମଧ୍ୟରେ 5 ପୁରୁଷ, 4 ମହିଳା ଏବଂ 5 ଶିଶୁ ଅଛନ୍ତି ।
ସୂଚନାନୁସାରେ, ଦଲାଲ ବବଲୁ ସିଂଙ୍କ ଜରିଆରେ 4 ମାସ ପୂର୍ବରୁ ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରୁ 3 ଜଣ ଏବଂ ମାଲଗୋଦାମ ଅଞ୍ଚଳରୁ 3 ଜଣ ଇଟାଭାଟିରେ କାମ କରିବାକୁ ବାରଣାସୀ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଶ୍ରମିକଙ୍କ ସହ କିଛିଦିନ ସବୁ ଠିକ୍ ଚାଲିଥିଲା । ମାତ୍ର ପରେ ଆରମ୍ଭ ହୋଇଥିଲା ଅତ୍ୟାଚାର । ଦିନରେ ଗଣ୍ଡେ ଖାଇବାକୁ ଦେଇ ଇଟା ଭାଟିରେ କାମ କରାଉଥିଲେ । ଆଉ ଭାଟି ମାଲିକର ଅକଥନୀୟ ଅତ୍ୟାଚାର ସହିନପାରି ରବୀନ୍ଦ୍ର ନାଗ ନାମକ ଜଣେ ଶ୍ରମିକ କ୍ୟାମ୍ପରୁ କେଉଁଆଡେ ଚାଲିଯାଇଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
ସେହିପରି ଜିତୁ ଓରାମ ନାମକ ଆଉ ଜଣେ ଶ୍ରମିକ ଖସି ଆସି ରାଉରକେଲାରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଘଟଣାଟି ଜଣାପଡିଥିଲା । ଏ ବାବଦରେ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ହେବା ସହ ଶ୍ରମ ବିଭାଗ ମଧ୍ୟ ମାମଲାର ତଦନ୍ତ ଆରମ୍ଭ କରିଥିଲେ । ଘଟଣାଟି 'ମୋ ସରକାର'ରେ ମଧ୍ୟ ଅବଗତ କରାଗଲା । ଏହା ପରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଳାନ୍ ଏବଂ ରାଉରକେଲା ଏସପି କେ ଶିବା ସୁବ୍ରମନିଙ୍କ ନିର୍ଦ୍ଦେଶରେ ଏକ ଟିମ ବାରଣାସୀରେ ପଶି ରହିଥିବା 6 ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ହେଲେ ଇଟା ଭାଟିରୁ 6 ପରିବର୍ତ୍ତେ ଉଦ୍ଧାର ହୋଇଥିଲେ 14 ଜଣ ଦାଦନ ଶ୍ରମିକ ।