ପୁରୀ: ଆଜି 'ବିଶ୍ବ ପର୍ଯ୍ୟଟନ ଦିବସ' । ଚଳିତ ବର୍ଷର ଥିମ୍ ରହିଛି 'Rethinking Tourism' । ପ୍ରତି ବର୍ଷ ସେପ୍ଟେମ୍ବର 27 ତାରିଖକୁ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ । ବିଶ୍ବର କୋଣ ଅନୁକୋଣରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ପ୍ରତ୍ୟେକ ଦେଶର ପର୍ଯ୍ୟଟନ ସ୍ଥଳୀ ହିଁ ତାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ପର୍ଯ୍ୟଟନ ସ୍ଥଳୀ ହିଁ ଏହାର ପରିଚୟ ହୋଇଥାଏ । ବିଶ୍ବର ପ୍ରତ୍ୟେକ ଦେଶର ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ପର୍ଯ୍ୟଟନ ଦିବସ ପ୍ରତିବର୍ଷ ପାଳନ କରାଯାଏ ।
'ବିଶ୍ବ ପର୍ଯ୍ୟଟନ ଦିବସ' (World Tourism Day ) ଅବସରରେ ପୁରୀ ବେଳା ଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ । ପୁରୀର ଗୋଲ୍ଡେନ ବିଚରେ ଏହା ପ୍ରଦର୍ଶିତ ହୋଇଥିବାବେଳେ, ଏହି ବାଲୁକା କଳାରେ ୨୦ ଟନ ବାଲି ବ୍ୟବହୃତ ହୋଇଛି । ଏହି ଚିତ୍ରକଳା ପ୍ରଦର୍ଶନୀ ମାଧ୍ୟମରେ ଲୋକଙ୍କ ମଧ୍ୟରେ ପର୍ଯ୍ୟଟନସ୍ଥଳୀ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପର୍ଯ୍ୟଟନ ମାଧ୍ୟମରେ ଓଡିଶା ଏବଂ ପୁରୀକୁ ଅଧିକ ଲୋକଙ୍କୁ ଆସିବା ପାଇଁ ବାର୍ତ୍ତା ଦିଆଯାଇଛି । ଆଜିର ଦିନରେ ପର୍ଯ୍ୟଟନର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ମୂଲ୍ୟବୋଧ ତଥା ସ୍ଥାୟୀ ବିକାଶର ଲକ୍ଷ୍ୟରେ ପର୍ଯ୍ୟଟନର ଅବଦାନ ବିଷୟରେ ଅବଗତ କରାଇଥାଏ ।