ପୁରୀ: ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ଵ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ଼। ତିନି ଠାକୁର ଚନ୍ଦ୍ରଭାଗାରେ ରାତ୍ରି ୩.୩୦ ମିନିଟରେ ପହଞ୍ଚିବା ପରେ ସେଠାରେ ଠାକୁରମାନଙ୍କ ମହୋଦଧି ସ୍ନାନ ଓ ତୀର୍ଥ ସ୍ନାନ କରାଯାଇ ଥିଲା । ପରେ ତିନି ଠାକୁରଙ୍କ ସ୍ନାନ ଓ ପୂଜାନୀତି ସମାପନ ହୋଇ ଥିଲା ।
ଠାକୁରଙ୍କ ନୀତି ସମ୍ପନ୍ନ ପରେ ଠାକୁରଙ୍କ ସହିତ ଶୋଭାଯାତ୍ରାରେ ଯାଇ ତୀର୍ଥସ୍ନାନ ପାଇଁ ଅନୁମତି ପାଇଥିବା ସେବାୟତଙ୍କୁ ଭୋର ସମୟ ରେ ତୀର୍ଥ ସ୍ନାନର ସୁଯୋଗ ମିଳିଥିଲା। ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଥିବା ମାଘସପ୍ତମୀ ବୁଡ଼ ଲାଗି ସର୍ବାଧିକ 500 ଲୋକଙ୍କୁ ଅନୁମତି ପ୍ରଦାନ କରାଯିବା ପାଇଁ ସ୍ଥିର କରିଥିଲା ପ୍ରଶାସନ ।
ଏହି ପାଞ୍ଚଶହ ଲୋକଙ୍କ ମଧ୍ୟରେ ସେବାୟତ, ପୁଲିସ, ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ଓ ତିନି ଠାକୁରଙ୍କ କର୍ତ୍ତା ଠାକୁରଙ୍କ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯିବାଲାଗି ଅନୁମତି ରହିଥିଲା । ସୂଚନା ଯୋଗ୍ୟ, ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ମାଘସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରଣୀ ସଂଲଗ୍ନ ଅଞ୍ଚଳରେ ୧୮ ଓ ୧୯ ତାରିଖ ଦୁଇଦିନ ବ୍ୟାପୀ ୧୪୪ ଧାରା ଜାରି କରାଯାଇଛି।
ଏଥିସହିତ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକେ ଓ ଅଞ୍ଚଳ ବାହାର ଲୋକଙ୍କର ଚନ୍ଦ୍ରଭାଗା ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ବିଶ୍ଵାସ ରହିଛି ଏହି ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଅଶେଷ ପୁଣ୍ୟ ମିଳିଥାଏ । ଶୃଙ୍ଖଳିତ ବୁଡ ପକାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ପାଇଁ 30 ପ୍ଲାଟୁର୍ନ ପୋଲିସ ଫୋର୍ସ ମୁତୟନ ହୋଇଥାନ୍ତି ।